ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ : ପୂର୍ବତନ ଆଇପିଏସଙ୍କୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ

ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ

182

କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଛି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀଙ୍କୁ ୨୦୧୬ ମେ’ ୨୯ ତାରିଖରେ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଥିଲା । ହେଲେ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ କଂଗ୍ରେସ ସରକାର ଓ କିରଣ ବେଦୀଙ୍କ ଭିତରେ ଦୀର୍ଘଦିନରୁ ବିବାଦ ଚାଲିଆସିଥିଲା ।

ଗତ ୧୦ ତାରିଖରେ ତାଙ୍କୁ ହଟାଇବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଥିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ । କିରଣବେଦୀ ତୁଗଲକ ଦରବାର ଚଳାଇଥିବା ସେ ଅଭିଯୋଗ କରିଥିଲେ । ପୁଡୁଚେରୀରେ କଂଗ୍ରେସ ସରକାର ବର୍ତମାନ ସଂଖ୍ୟାଲଘୁରେ ପରିଣତ ହୋଇଥିବା କୁହାଯାଉଛି । ୪ ବିଧାୟକଙ୍କ ଇସ୍ତଫା ଏବଂ ଜଣେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପରେ କଂଗ୍ରେସ ସରକାର ସଂକଟରେ ପଡିଯାଇଥିବା କୁହାଯାଉଛି । ଆଗାମୀ ମାର୍ଚ୍ଚ, ଏପ୍ରିଲରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କିରଣ ବେଦୀଙ୍କୁ ହଟାଇ ନିଆଯାଇଥିବାରୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।