ଚିକିତ୍ସା ବିଜ୍ଞାନର ଚମତ୍କାର ! ଶରୀରରେ ଅସ୍ତ୍ରୋପଚାର କରି ମହିଳା ପାଲଟିଲେ ମୀରା କିନ୍ନର ।

134

କନକ ବ୍ୟୁରୋ : ସମଲିଙ୍ଗିଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଖବର । କିନ୍ନରଙ୍କ ଅଧିକାର ନେଇ ଲଢେଇ କରୁଥିବା ମୀରା କିନ୍ନର, ତାଙ୍କ ସଂପର୍କରେ ଏକ ବଡ଼ ରହସ୍ୟ ଖୋଲିଛନ୍ତି । ସେ କହିଛନ୍ତି, ଏବେ ସେ କିନ୍ନର ନୁହଁନ୍ତି, ସଂପୂର୍ଣ୍ଣ ନାରୀ ପାଲଟିି ଯାଇଛନ୍ତି । ଚିକିତ୍ସା ବିଜ୍ଞାନର ଚମତ୍କାରିତା ଯୋଗୁଁ ଏଭଳି ଅସମ୍ଭବ ସମ୍ଭବ ହୋଇପାରିଛି ।

ସମଲିଙ୍ଗି ସଂପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ସାରା ଦେଶରେ ଏଲଜିବିଟି ସମୁଦାୟ ମଧ୍ୟରେ ଖୁସିର ଲହରି ଖେଳାଇଦେଇଛି । ବର୍ଷବର୍ଷ ଧରି ଚାଲିଆସିଥିବା ନିଷ୍ଠୁର ଆଇନ ଅସିଦ୍ଧ ହୋଇଯିବା ପରେ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଲ ଓଡିଶା ଟ୍ରାନ୍ସଜେଣ୍ଡର ଟ୍ରଷ୍ଟର ଅଧ୍ୟକ୍ଷା ମୀରା ପରିଡା । ମୀରା, ଚିକିତ୍ସା ବିଜ୍ଞାନର ଏକ ଚମକ୍ରାର ସଂପର୍କରେ ଖୁଲାସା କରିଛନ୍ତି । ମାନସିକ ଭାବେ ନିଜକୁ ନାରୀ ବୋଲି ବିଚାର କରୁଥିଲେ ମଧ୍ୟ ସାମାଜିକ ଲାଂଛନା ଭୟରେ ବର୍ଷବର୍ଷ ଧରି ତୃତୀୟ ଲିଙ୍ଗର ମାନ୍ୟତା ନେଇ ବଂଚି ଆସୁଥିଲେ । ହେଲେ ଏବେ ଏଥିରୁ ମୁକ୍ତି ପାଇବାକୁ ନିଜ ଶରୀରରେ ଅସ୍ତ୍ରୋପଚାର କରାଇଛନ୍ତି ମୀରା ପରିଡା ।

ଚଳିତବର୍ଷ ମେ’ ୨୦ ତାରିଖରେ ଦିଲ୍ଲୀ ପ୍ରୀତମପୁରା ସ୍ଥିତ ଓଲମେକ୍ କ୍ଲିନିକରେ ଏହି ବିରଳ ଅସ୍ତ୍ରୋପଚାର କରାଇଛନ୍ତି ମୀରା ପରିଡା । ନାରୀର ମାନ୍ୟତା ପାଇଁ ତାଙ୍କ ଶରୀରରେ ସଫଳତାର ସହ ସମ୍ବେଦନଶୀଳ ଅଙ୍ଗ ପ୍ରତିରୋପଣ କରାଯାଇଛି । ହେଲେ ଜଣେ କିନ୍ନରଙ୍କ ଶରୀରରେ ୟୁଟରସ ଏବଂ ଓଭାରୀ ବା ଗର୍ଭାଶୟ ଓ ଡିମ୍ବାଶୟ ପ୍ରତିରୋପଣ ହୋଇପାରିଲେ ହିଁ ସେ ସଂପୂର୍ଣ୍ଣ ନାରୀ ହୋଇପାରିବେ ବୋଲି କହିଛନ୍ତି ମୀରା ।

ଯୌବନର ପ୍ରାରମ୍ଭିକ ଅବସ୍ଥାରେ ପୁରୁଷ ଭଳି ବିବାହ କରିଥିଲେ ମୀରା । ସେତେବେଳେ ସାମାଜିକ ବାଧ୍ୟବାଧକତା ଯୋଗୁଁ ନିଜ ବିଲକ୍ଷଣ ପ୍ରକାଶ କରିପାରିନଥିଲେ । ପରେ ବିବାହ ବିଚ୍ଛେଦ ଘଟିଲା । ଏବେ ତାଙ୍କର ଜଣେ ପୁରୁଷ ସାଥୀ ଅଛନ୍ତି । ସମଲିଙ୍ଗି ସଂପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସେ ନିଜ ପୁରୁଷ ବନ୍ଧୁଙ୍କ ପରିଚୟ ଗୋପନୀୟ ରଖିବାର ବାଧ୍ୟବାଧକତାରୁ ମୁକ୍ତ ହୋଇଥିବା କହିଛନ୍ତି । ଭାରତୀୟ ଚିକିତ୍ସା ବିଜ୍ଞାନର ଚମକ୍ରାରିତା ଯୋଗୁଁ ମୀରାଙ୍କ ପରି ଟ୍ରାନ୍ସଜେଣ୍ଡର ନାରୀ ହୋଇପାରିଛନ୍ତି । ଅବଶ୍ୟ ମୀରା ନାରୀ ପାଲଟିଛନ୍ତି, ମାତ୍ର ଏବେ ବି ଅନେକ ଟ୍ରାନ୍ସଜେଣ୍ଡର ନିଜର ସ୍ୱୀକୃତି ପାଇଁ ଅପେକ୍ଷା କରିଛନ୍ତି । ଆଉ ଦୀର୍ଘ ଦିନର ଲଢେଇ ପରେ ସେମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ଅଧିକାର ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।