ରେଳ ଷ୍ଟେସନରୁ ପୁଣି ଗଞ୍ଜେଇ ଜବତ : ଗଞ୍ଜେଇ ସହ ଧରାହେଲେ ୨ କିନ୍ନର

85

କନକ ବ୍ୟୁରୋ : ଭୁବନେଶ୍ବର ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୁରୁଷ, ମହିଳା ବାରମ୍ବାର ଧରାପଡ଼ିବା ପରେ ଅନ୍ତଃରାଜ୍ୟ ବେପାରୀ ଏବେ କିନ୍ନରଙ୍କୁ ଟାର୍ଗେଟ କରିଛନ୍ତି । ଟ୍ରେନ୍‌ରେ ଗଞ୍ଜେଇ ନେଇ ଅହମ୍ମଦାବାଦ ବାହାରୁଥିବା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଦୁଇଜଣ କିନ୍ନରଙ୍କୁ ଧରିଛି। ସେମାନଙ୍କ ପାଖରେ ଥିବା ହ୍ୟାଣ୍ଡବ୍ୟାଗ ଓ ସୁଟ୍‌କେସ୍‌ରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି । ପୁରୀ ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ସେମାନେ ଅହମ୍ମଦାବାଦ ଯିବା ପାଇଁ ଭୁବନେଶ୍ବର ରେଳ ଷ୍ଟେସନ ‘ରେଲଓ୍ବେ ମେଲ ସର୍ଭିସ’ ଅଫିସ ସାମ୍ନାରେ ଅପେକ୍ଷା କରିଥିବା ବେଳେ ଧରାପଡ଼ିଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି, ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଓ ବସନ୍ତ ସ୍ବାଇଁ ଓରଫ ବାସନ୍ତୀ । ପଚରାଉଚରା ବେଳେ ଜଣାପଡ଼ିଛି କି, ଟ୍ରେନ୍‌ରେ ପଇସା ମାଗୁଥିବାବେଳ‌େ ଏମାନେ ଅହମ୍ମଦାବାଦ୍‌ର ଜଣେ ବଡ଼ ଗଞ୍ଜେଇ ବେପାରୀ ସଂସ୍ପର୍ଶରେ ଆସିଥିଲେ ।

କିନ୍ନରଙ୍କୁ ସାଧାରଣତଃ ଚେକିଂ କମ୍‌ ହେଉଥିବା କିମ୍ବା ସେମାନେ ଅତି ସହଜରେ ଚେକିଂରୁ ବର୍ତ୍ତିବା ପାଇଁ କୌଶଳ ଜାଣିଥିବାରୁ ସେମାନେ ଏହି ବେପାରରେ ଅଳ୍ପ ପରିଶ୍ରମରେ ଲକ୍ଷଲକ୍ଷ ଟଙ୍କା କମାଇ ପାରିବେ ବୋଲି ବେପାରୀ ପରାମର୍ଶ ଦେଇଥିଲା। ୪ ଦିନ ତଳେ ୧୫ କେଜି ଗଞ୍ଜେଇ ଆଣିବା ପାଇଁ ସମ୍ପୃକ୍ତ ବେପାରୀ ଉଭୟ କିନ୍ନରଙ୍କୁ କହିଥିଲା । ସେମାନେ ଗତକାଲି ପ୍ରଶାନ୍ତୀ ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ବର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ବର ଷ୍ଟେସନରୁ ଅହମ୍ମଦାବାଦ ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ତେବେ ସୂଚନା ପାଇ ରାତି ୮ଟା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ଉଭୟଙ୍କୁ ଧରିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।