ପଞ୍ଜାବ ବୋଲିଂରେ ଧରାଶାୟୀ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୯୭ ରନ୍ ରେ ବିଜୟ ହାସଲ କଲା କିଙ୍ଗସ୍ ଇଲେଭେନ ପଞ୍ଜାବ

83

କନକ ବ୍ୟୁରୋ : କିଙ୍ଗସ ଇଲେଭେନ ପଞ୍ଜାବର ବୋଲିଂରେ ଧରାଶାୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚକୁ ପଞ୍ଜାବ ୯୭ ରନର ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ପଞ୍ଜାବ ଚଳିତ ଆଇପିଏଲରୁ ନିଜ ଯାତ୍ରା ଆରମ୍ଭ କରିଛି । ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ କେଏଲ ରାହୁଲ ଶତକ ହାସଲ କରିଥିଲେ ।

ଏହି ମ୍ୟାଚରେ ପ୍ରଥମେ ଟସ୍୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ଫଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଏଥିରେ କେଏଲ ରାହୁଲ ଶେଷ ଓଭର ଯାଏଁ ଖେଳି ଦମଦାର ଶତକ ହାସଲ କରିଥିଲେ । ଗୋଟିଏ ପଟେ ପଞ୍ଜାବ ୱିକେଟ ହରାଉଥିବା ବେଳେ ରାହୁଲ ଅନ୍ୟ ପଟେ ଚମକ୍ରାର ବ୍ୟାଟିଂ କରିଥିଲେ । ସେ ଶେଷ ଓଭର ପର୍ଯ୍ୟନ୍ତ ଖେଳି ଦଳକୁ ବିଶାଳ ସ୍କୋର ପାଖରେ ପହଞ୍ଚାଇଥିଲେ ।
ଏହି ମ୍ୟାଚରେ ରାହୁଲ ୬୯ ବଲରେ ୧୪ ଚୌକା ଓ ୭ ଛକା ବଳରେ ୧୩୨ ରନ କରିଥିଲେ । ଅନ୍ୟମାନଙ୍କ ମଧରେ ମୟଙ୍କ ଅଗ୍ରୱାଲ ୨୬, ନିକୋଲ୍ସ ପୁରନ ୧୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୩ ଓି୍ୱକେଟ ହରାଇ ୨୦୬ ରନ କରିପାରିଥିଲା ।
ପରେ ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର ଦଳ । ହେଲେ ଏହାକୁ ପୂରଣ କରିବାରେ ଅସଫଳ ହୋଇଥିଲା ଦଳ । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଆରୋନ ଫିଞ୍ଚ ଓ ଡିଭିଲିୟର୍ସ ବଡ ସଟ ଖେଳିବାରେ ଅସଫଳ ହୋଇଥିଲା । ଫଳରେ ଦଳ ୧୭ ଓଭର ଖେଳି ମାତ୍ର ୧୦୯ ରନ କରିଥିଲା ।