କାମକୁ ଫେରିବେ କିଙ୍ଗ ଖାନ୍ । ତା ପୂର୍ବରୁ ନିର୍ଦ୍ଦେଶକଙ୍କ ଆଗରେ ରଖିଲେ ସର୍ତ୍ତ ।

165

କନକ ବ୍ୟୁରୋ: ପାଖାପାଖି ଦେଢମାସ ପରେ କାମକୁ ପୁଣି ଫେରିବେ କିଙ୍ଗ ଖାନ୍ ଶାହାରୁଖ ଖାନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଯେତେବେଳେ ପୁଅ ଆରୟନ ଖାନ୍ ଧରାପଡି ଏନସିବି ହାତରେ ଧରାପଡିଲେ ସେତେବେଳେ ଶାହାରୁଖ ବିଦେଶରେ ଫିଲ୍ମ ‘ ପଠାନ’ର ସୁଟିଂରେ ବ୍ୟସ୍ତ ଥିଲେ । ଏହି ଖବର ପାଇ ସୁଟିଂକୁ ପଛରେ ପକାଇ ତୁରନ୍ତ ଘରକୁ ଫେରିଥିଲେ । ଆଉ ଏହି ମାମଲା ପାଖାପାଖି ମାସେ ପର୍ଯ୍ୟନ୍ତ ଜାରି ରହିବାରୁ ଚିନ୍ତାରେ ଉଭୟ ଶାହାରୁଖ ଓ ଗୌରୀ ରହିଥିଲେ । ପୁଅକୁ ଜାମିନରେ ଆଣିବାକୁ ଅନେକ ଚେଷ୍ଟା କରିଥିଲେ । ଆଉ ଦୀପାବଳି ପୂର୍ବରୁ ଜାମିନରେ ଘରକୁ ଫେରିଥିଲେ ଆରୟନ ।

ଏହାପରେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛନ୍ତି । ଫିଲ୍ମ ଅପେକ୍ଷା ନିଜ ପରିବାରକୁ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ପୁଣି ଫିଲ୍ମର ସୁଟିଂକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି । ହେଲେ ଏହା ପୂର୍ବରୁ ଏହାର ନିର୍ଦ୍ଦେଶକଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି । ଫିଲ୍ମର ସୁଟିଂକୁ ଭାଗ ଭାଗ କରି କିଛି ଦିନ ଅନ୍ତରାଳରେ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସେ ଉଭୟ ଫିଲ୍ମ ସହ ନିଜ ପରିବାରକୁ ସମୟ ଦେଇପାରିବେ ବୋଲି କହିଛନ୍ତି ଶାହାରୁଖ ।

ଏଯାଏଁ ଆରୟନଙ୍କ ମାମଲା ଶେଷ ହୋଇନଥିବାବେଳେ ପ୍ରତି ସପ୍ତାହରେ ତାଙ୍କୁ ଏନସିବି କାର୍ଯ୍ୟାଳୟ ସହ ମଝିରେ ମଝିରେ କୋର୍ଟରେ ହାଜର ହେବାକୁ ପଡୁଛି । ତେଣୁ ଏହି ମାମଲାର ଅନ୍ତ ନହେବା ଯାଏଁ ସେ ଘରକୁ ଓ ପିଲାମାନଙ୍କୁ ଆବଶ୍ୟକ ସମୟ ଦେବା ସହ ପତ୍ନୀ ଗୌରୀଙ୍କୁ ମଧ୍ୟ ମାନସିକ ସ୍ତରରେ ସହଯୋଗ କରିବେ ବୋଲି କହିଛନ୍ତି ।