ଆରୟନଙ୍କ ପାଇଁ ଚିନ୍ତିତ କିଙ୍ଗ ଖାନ । ପୁଅ ପାଇଁ ପ୍ଳାନିଙ୍ଗ କ’ଣ?

254

କନକ ବ୍ୟୁରୋ: ଆରୟନ ଖାନ୍ ଜେଲରୁ ଫେରିବା ପରେ ସତର୍କ ହୋଇଛନ୍ତି କିଙ୍ଗ ଖାନ୍ । ପୁଅର ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ କରିଛନ୍ତି ପ୍ଲାନିଙ୍ଗ । ଆଗକୁ ଯେପରି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଉଭୟ ଶାହାରୁଖ ଓ ଗୌରୀ ଖାନ୍ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ।

ବଲିଉଡ୍ ଲାଇଫର ରିପୋର୍ଟ ମୁତାବକ, ଶାହାରୁଖଙ୍କ ପରି ପୁଅ ଆରୟଙ୍କ ଚାରିପଟେ ରହିବ ସୁରକ୍ଷା ବଳୟ । ଆରୟନ ପାଇଁ ନିଯୁକ୍ତ ହେବେ ବଡିଗାର୍ଡ, ଯିଏ ୨୪ ଘଣ୍ଟା ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବେ । କେବଳ ଏତିକି ନୁହେଁ ମନ୍ନତରେ ଆଉ ରହିବେନି ଆରୟନ୍ । ଅକ୍ଟୋବର ମାସ ଆରୟନଙ୍କ ପାଇଁ ଦୁର୍ଭାଗ୍ୟଜନକ ଥିଲା । ଆରୟନଙ୍କ ଚାରିପଟେ ଯେପରି ଗଣମାଧ୍ୟମର କଡା ପ୍ରହରୀ ଥିଲା । ହେଲେ ଏବେ ମିଡିଆଠାରୁ ଦୂରରେ ରହିବେ ଆରୟନ । ଏଥିପାଇଁ ତାଙ୍କ ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଉଭୟ ଶାହାରୁଖ ଓ ଗୌରୀ । ଦୀପାବଳି ପରେ ତାଙ୍କୁ ଆଲିବାଗ୍ ପଠାଯିବ । ସେଠାରେ ରହିଛି ଶାହାରୁଖଙ୍କର ଏକ ଭବ୍ୟ ଫାର୍ମ ହାଉସ୍ । ଏହି ସ୍ଥାନ ଆରୟନଙ୍କ ପାଇଁ ସୁରକ୍ଷିତ ବୋଲି କୁହାଯାଉଛି ।

ଏହାସହ ସୋସିଆଲ ମିଡିଆରୁ ବି ପୁଅକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି ଶାହାରୁଖ । ଅନେକ ସାଇଟରୁ ଆରୟନ୍ କ୍ୱିଟ୍ କରିଥିବା ଦେଖିବାକୁ ମିଳୁଥିବାବେଳେ ତାଙ୍କ ହ୍ୱାଟ୍ସଆପ୍ ଡିପି ବଦଳିଯାଇଛି । ତେବେ ବିଶେଷ କାହା ସହ ଯେପରି ସୋସିଆଲ ମିଡିଆରେ ଯୋଗାଯୋଗ ନକରନ୍ତି ସେଥିପାଇଁ ଯଥାସାଧ୍ୟ ପଦକ୍ଷେପ ନେଉଛନ୍ତି ଶାହାରୁଖ । ଏନେଇ ନିଜେ ଆରୟନ ମଧ୍ୟ ସଚେତନ ହୋଇପଡିଛନ୍ତି ।