ଭୋକ ମାଡ଼ରେ ମୃତ୍ୟୁର ଆଁରେ ଥିଲା ମା’ , ଏପଟେ ମା’କୁ ଶୋଇଥିବା ଦେଖି ଉଠାଉଥିଲା ଅବୋଧ ଶିଶୁ : ଦେଶର ଛାତିକୁ ଥରାଇଥିବା ଏହି ଭାଇରାଲ୍ ଭିଡିଓ କିଙ୍ଗ୍ ଖାନଙ୍କ ଆଖିରେ ଆଣିଦେଲା ଅଶ୍ରୁ ।

835

କିଛି ଦିନ ତଳେ ବିହାରର ମୁଜାଫରପୁର ରେଳ ଷ୍ଟେସନରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଯାହା ସୋସିଆଲ୍ ମିଡିଆ ୟୁଜରଙ୍କ ଆଖିକୁ ଓଦା କରିଦେଇଥିଲା । ମାତ୍ର କେଇ ସେକେଣ୍ଡର ଏକ ଭିଡ଼ିଓ ସତେ ଯେମିତି ଗରୀବ ଜୀବନର ମୂଲ୍ୟ ଉପରେ ବଡ଼ ପ୍ରଶ୍ନ ଠିଆ କରାଇଥିଲା । ଭିଡ଼ିଓରେ ଜଣେ ମୃତ ମହିଳା ଶ୍ରମିକ ଷ୍ଟେସନର ଚଟାଣ ଉପରେ ଶୋଇଥିବା ବେଳେ ପାଖରେ ତା’କୁନି ଶିଶୁଟି ମା’ର ପଣତକାନିକୁ ଟାଣୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା ।

ଭୁତାଣୁ ଭୟରେ ଜୀବନ ବିକଳରେ ପିଲାକୁ ଧରି ଶ୍ରମିକ ମା’ଜଣକ ରେଳରେ ସିନା ଚଢିପଡିଲା , ହେଲେ ଭୋକ ତାକୁ ଗିଳିଦେଲା । ଗାଡ଼ି ଷ୍ଟେସନରେ ପହଁଚିଲା ବେଳକୁ ତା’ ଜୀବନଟି ଚାଲିଯାଇଥିଲା । ଏପଟେ ମୃତ ମା’ର ପଣତକାନିକୁ ଭିଡ଼ି କୁନି ପିଲାଟି ମା’କୁ ଉଠାଇବାକୁ ଚେଷ୍ଟା କରୁଥିଲା । ରେଳ ଷ୍ଟେସନରୁ ରାଜରାସ୍ତା, ସୋସିଆଲ ମିଡ଼ିଆରୁ ସରକାରୀ ଦଫ୍ତର ଯାଏଁ ଏହି କରୁଣ ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଖାଲି ସେତିକି ନୁହଁ ଏହି ଛାତିଥରା ଭିଡିଓଟି ବଲିଉଡ୍ ବାଦଶାହା ଶାହରୁଖ୍ ଖାନଙ୍କୁ ମଧ୍ୟ ଖୁବ୍ କଷ୍ଟ ଦେଇଥିଲା । ବର୍ତ୍ତମାନ କିଙ୍ଗ୍ ଖାନଙ୍କ ଦ୍ୱାରା ପରିଚାଳିତ ମିର୍ ଫାଉଣ୍ଡେସନ୍ ଶିଶୁଟିର ସହାୟତା ପାଇଁ ଆଗକୁ ଆସିଛି । ଅଭିନେତା ଶିଶୁଟିର ଆର୍ଥିକ ଖର୍ଚ୍ଚ ବହନ କରିବା ସହ ପିଲାଟିର ଲାଳନପାଳନର ଦାୟିତ୍ୱ ଜେଜେମା’ଙ୍କୁ ଦେଇଛନ୍ତି । ଯାହାକୁ ନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି ।