ଶେଷ ହେଲା ଧନୁଯାତ୍ରା । ମହୋଦଧିରେ ବୁଡ ପକାଇ ପାପର ପ୍ରାୟଶ୍ଚିତ କଲେ କଂସ ମହାରାଜ

211

କନକ ବ୍ୟୁରୋ: ଆଜି ମହୋଦଧିରେ ସ୍ନାନ କରି ପାପ ଧୋଇଛନ୍ତି କଂସ ମହାରାଜ । ଏହାପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଦୀର୍ଘ ୧୧ ଦିନ ଧରି ବରଗଡ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଧନୁଯାତ୍ରା ଗତକାଲି ଶେଷ ହୋଇଛି । ଏଥିରେ କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ଭୂବନେଶ୍ୱର ପ୍ରଧାନ ମହୋଦଧିରେ ସ୍ନାନ କରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।

ପରମ୍ପରା ଅନୁସାରେ କଂସ ଭୂମିକାରେ ଥିବା ବେଳେ ସେ ମହାପ୍ରଭୁଙ୍କ ବିଷୟରେ କଟୁ ଭାଷା ପ୍ରୟୋଗ କରିଥିବାରୁ ଶ୍ରୀଜୀଉଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ । ଦୀର୍ଘ ଦିନ ଧରି ମୁକ୍ତାକାଶ ରଙ୍ଗ ମଂଚରେ ଚାଲିଥିବା ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଗତକାଲି ଉଦଯାପିତ ହୋଇଛି । ଆଉ ଏହି ଉଦଯାପନୀ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିବା ସହ ଶେଷରେ କଂସ ଦରବାରରେ ପହଂଚିଥିଲେ ।

କଂସ ଦରବାରରେ କୁବଳୟା ବଧ. ଅଷ୍ଟମଲ୍ଲ ବଧ ପରେ ଶିବ ଧନୁ ଭାଙ୍ଗି ଥିଲେ । ଆଉ ଏହାପରେ ପଡିଥିଲା ମହାରାଜ କଂସଙ୍କ ପାଳି । ମହାପ୍ରଭୁଙ୍କୁ ଦେଖି ମଥୁରା ନରେଶ ହୋସ୍ ଉଡିଯାଇଥିଲା ଆଉ ଶେଷରେ ମଂଚରୁ ପଡି ମାମୁଁ କଂସର ମୃତ୍ୟୁ ହୋଇଛି । କଂସବଧ ପରେ ଉଗ୍ରସେନଙ୍କୁ ମଥୁରାର ରାଜା ଭାବେ ପୁଣି ଥରେ ଅବସ୍ଥାପିତ କରିଛନ୍ତି କୃଷ୍ଣ ବଳରାମ ।