ଆଉ ହେବନି ପରମାଣୁ ପରୀକ୍ଷା ! ଏଣିକି ଅଶାନ୍ତ କୋରିଆ ଉପତ୍ୟକାରେ ବହିବ ଶାନ୍ତିର ହାୱା, ଦଶନ୍ଧି ଦଶନ୍ଧିର ଶତ୍ରୁତାକୁ ଭୁଲି ସୀମାରେ ହାତ ମିଳାଇଲେ ଉତର ଓ ଦଣିକ୍ଷ କୋରିଆ ରାଷ୍ଟ୍ରପତି

30

କନକ ବ୍ୟୁରୋ : ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ସାରା ବିଶ୍ୱ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି । ବର୍ଷ ବର୍ଷର ଶତ୍ରୁତାକୁ ଭୁଲି ଏକାଠି ହୋଇଛନ୍ତି ଉତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜା-ଇନ୍ । ଦୁଇ ରାଷ୍ଟ୍ରପତି ପରସ୍ପର ସହ ହାତ ମିଳାଇ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ଏହି ଅଂଚଳକୁ ଆଣବିକ ମୁକ୍ତ କରିବା ପାଇଁ ବିବୃତି ଦେଇଛନ୍ତି । ଫଳରେ ୭୦ ବର୍ଷ ପରେ ଅଶାନ୍ତ କୋରିଆ ଉପତ୍ୟକାରେ ନୂଆ ଯୁଗ ଆରମ୍ଭ ହେବାର ଆଶା ଜାଗ୍ରତ ହୋଇଛି ।

ଗୋଟିଏ ଫ୍ରେମରେ ଉତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜା-ଇନ୍ । ଦଶନ୍ଧି ଦଶନ୍ଧିର ଶତ୍ରୁତାକୁ ଭୁଲି ଦୁଇ ରାଷ୍ଟ୍ରପତି ପରସ୍ପର ସହ ହାତ ମିଳାଉଥିବାର ଦୃଶ୍ୟ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ଦୁଇ ଦେଶର ସୀମା ଉପରେ ହାତ ଧରାଧରି ହୋଇ ଚାଲିଛନ୍ତି ଦୁଇ ରାଷ୍ଟ୍ରପତି । କେବଳ ଏତିକି ନୁହେଁ, କୋରିଆ ଉପତ୍ୟକାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ଏହି ଅଂଚଳକୁ ଆଣବିକ ମୁକ୍ତ କରିବା ପାଇଁ ମିଳିତ ବିବୃତି ଦେଇଛନ୍ତି ଦୁଇ ରାଷ୍ଟ୍ରପତି । ପାଖାପାଖି ୭୦ ବର୍ଷ ପରେ ଅଶାନ୍ତ କୋରିଆ ଉପତ୍ୟକାରେ ନୂଆ ଯୁଗ ଆରମ୍ଭ ହେବାର ଆଶା ଜାଗ୍ରତ ହୋଇଛି ।

ପ୍ରାୟ ଦୁଇ ବର୍ଷ ଧରି ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଆଣବିକ ବୋମା ପରୀକ୍ଷଣ କରି ସମଗ୍ର କୋରିଆ ଉପତ୍ୟକାକୁ ଯୁଦ୍ଧ ଆଡକୁ ମୁହାଁଇ ଦେଇଥିଲେ ଉତର କୋରିଆ ରାଷ୍ଟ୍ରପତି । ଉଭୟ ଜାପାନ ଓ ଆମେରିକାକୁ ଖୋଲା ଚ୍ୟାଲେଂଜ ଦେଉଥିଲେ କିମ୍ ଜଙ୍ଗ୍ ଉନ୍ ।

ଉତର କୋରିଆର ଅଣୁ ଅସ୍ତ୍ରରେ ସଜିତ ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ନିଦ ହଜାଇ ଦେଇଥିଲା ଆମେରିକାର । କଠୋର ଆର୍ଥିକ କଟକଣା ଲଗାଇବା ସହ ଉତର କୋରିଆକୁ ଏକଘରିକିଆ କରିବାକୁ ଉଦ୍ୟମ କରିଥିଲା ଆମେରିକା । ଦୁଇ ମିତ୍ର ରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆର ସୁରକ୍ଷା ଲାଗି କିମ୍ ଜଙ୍ଗ୍ ଉନଙ୍କ ସହ ମୁହାଁମୁହିଁ ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

କିଛି ମାସ ଧରି ଅସ୍ଥିର ଅବସ୍ଥା ଲାଗି ରହିବା ପରେ ଏବେ ନରମିଛନ୍ତି ଉତରକୋରିଆ ରାଷ୍ଟ୍ରପତି । ଶାନ୍ତି ପ୍ରତିଷ୍ଠା ସହ ଅଣୁ ଅସ୍ତ୍ର ପରୀକ୍ଷଣ ବନ୍ଦ କରିବା ନେଇ ସକରାତ୍ମକ ଆଭିମୁଖ୍ୟ ଦେଖାଇଛି ଉତର କୋରିଆ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ କୋରିଆରେ ଲାଗି ରହିଛି ଅଶାନ୍ତି । ନର୍ଥ କୋରିଆକୁ ଚୀନ ଓ ରୁଷିଆ ସହଯୋଗ କରୁଥିବା ବେଳେ ସାଉଥ୍ କୋରିଆ ସପକ୍ଷରେ ରହିଆସିଛି ଆମେରିକା । ୧୯୫୦ ମସିହାରେ ଦୁଇ କୋରିଆ ମଧ୍ୟରେ ହୋଇଥିଲା ଭୟଙ୍କର ଲଢ଼େଇ । ୩ ବର୍ଷ ଧରି ଚାଲିଥିବା ଏହି ଘମାଘୋଟ ଲଢେଇରେ ୨୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହି ସମୟରୁ ପରସ୍ପରର ଚିରଶତ୍ରୁ ରହିଆସିଛନ୍ତି ଦୁଇ କୋରିଆ ।