କନକ ବ୍ୟୁରୋ : ବିଶ୍ୱର ସବୁଠୁ କ୍ରୁର ଶାସକ ଭାବେ ଜଣାଶୁଣା ଉତ୍ତରକୋରିଆର ଶାସନ ଗାଦିରେ ବସିଥିବା କିମ୍ ଜଙ୍ଗ ଉନଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶରେ ଅଜବ ନିୟମ ଲାଗୁ କରୁଥିବା କିମ ଜଙ୍ଗ ଏହାପୂର୍ବରୁ ମଧ୍ୟ ୧୧ ଦିନ ପାଇଁ ଲୋକଙ୍କ ହସିବା, ସପିଂ ଓ ମଦ ପିଇବା ଉପରେ କଟକଣା ଲଗାଇଥିଲେ । କାରଣ କିମ୍ ଜଙ୍ଗ ଉନଙ୍କ ବାପା ‘କିମ୍ ଜଙ୍ଗ ଇଲ’ଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଅବସରରେ ଏହି କଟକଣା ଲଗାଯାଇଥିଲା । ତେବେ ଏକ ଭିନ୍ନ କାରଣକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କିମ୍ ଜଙ୍ଗ୍ ଉନ ।
ନିଜ ଦଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କିମ୍ ଜଙ୍ଗ ଉନଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା । ଏଥିରେ କିମ୍ ଜଙ୍ଗ ଉନ୍ ଅତ୍ୟନ୍ତ ପତଳା ଦେଖାଯାଉଥିବା ବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇ ପଡୁଥିଲା । କାରଣ ଏହାପୂର୍ବରୁ କିମ୍ ଜଙ୍ଗ ଉନଙ୍କର ଓଜନର ଯଥେଷ୍ଟ ଅଧିକ ଥିଲା । କିନ୍ତୁ ଦୀର୍ଘଦିନ ପରେ କ୍ୟାମେରା ସାମ୍ନାକୁ ଆସିଥିବା କିମ୍ ଜଙ୍ଗ୍ ଉନଙ୍କୁ ଦେଖିବା ପରେ ଅନେକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । କାରଣ କିମ୍ ଜଙ୍ଗ ଉନଙ୍କର ଓଜନ ପାଖାପାଖି ୪୦ ପାଉଣ୍ଡ କମି ଯାଇଥିଲା । ପୂର୍ବଭଳି ହେୟାରଷ୍ଟାଇଲ ନଥିଲା, ଶରୀର ପୂର୍ବପେକ୍ଷା ଅଧିକ ପତଳା ହୋଇ ଯାଇଥିଲା ।
ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥିବାରୁ କିମ୍ ଜଙ୍ଗ ଉନ୍ ଖାଇବା କମାଇ ଦେଇଛନ୍ତି । ଏପରିକି ଦେଶର ଖାଦ୍ୟ ସଙ୍କଟ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ କମ ଖାଇବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ କିମ୍ ଜଙ୍ଗ ଉନ୍ । ଏହାପୂର୍ବରୁ କିମ୍ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ହେବ ଲୋକଙ୍କ ସାମ୍ନାକୁ ଆସିନଥିବାରୁ କିମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା କୁହାଯାଉଥିଲା । କିନ୍ତୁ ଏକ ଭିନ୍ନ ଅନ୍ଦାଜରେ ସାମ୍ନାକୁ ଆସି ବିଭିନ୍ନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କିମ୍ ଜଙ୍ଗ ଉନ୍ ।