ପାରିବାରିକ ବିବାଦ ଓ ଜମିଜମା ବିବାଦରୁ ନୀଳଗିରିରେ ହତ୍ୟା ଘଟଣା: ଷଡଯନ୍ତ୍ରକାରୀ ବଡ ଭାଇ ଭାଉଜଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୁଲିସ

473

କନକ ବ୍ୟୁରୋ: ନୀଳଗିରି ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ବଡ ଭାଇ ଓ ଭାଉଜ । ପାରିବାରିକ ବିବାଦ ଓ ଜମିଜମା ବିବାଦରୁ ଏହି ହତ୍ୟା ଘଟଣା ଘଟିଛି ବୋଲି ପୋଲିସ କହିଛି । ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି, ତିନି ମାସ ପୂର୍ବରୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା । ଏହି ଘଟଣାରେ ବଡ ଭାଇ ଭାଉଜଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ୭୦ ହଜାର ଟଂକା, ୨ଟି ମୋବାଇଲ ସହ ମାରଣାସ୍ତ୍ର ଜବତ ହୋଇଛି । ହତ୍ୟା ପାଇଁ ସୁପାରୀ କିଲର ସହ ୧.୪୦ ଲକ୍ଷ ଟଂକାର ଡିଲ୍ ହୋଇଥିଲା । ଏଥିପାଇଁ ୩୦ ହଜାର ଟଂକା ଅଗ୍ରୀମ ଦିଆଯାଇଥିଲା । ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ହତ୍ୟାର ଶିକାର ହୋଇଥିଲା । ନୀଳଗିରି ଥାନା ଅନ୍ତର୍ଗତ କାଂଶ ଗାଁର ୨୧ ବର୍ଷିୟ ଭାବନୀ ଶଙ୍କର ରାଉତ ଓ ୨୨ ବର୍ଷିୟ ମନୋରଂଜନ ମହାପାତ୍ର ଗତ ୫ ତାରିଖରୁ ନିଖୋଜ ଥିଲେ । ଆଜି ସେମାନଙ୍କ ମୃତଦେହ ନୀଳହ୍ରଦରୁ ଉଦ୍ଧାର କରାଯାଇଛି । ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡ ପଛରେ ଥିବା ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସ କହିଛି । ସାନ ଭାଇ ଭବାନୀ ଓ ତା’ ସାଙ୍ଗକୁ ନେଇ ବୁଲିବାକୁ ଯାଇଥିଲେ । ସେଠାରେ ଯୋଜନାବଦ୍ଧ ଭାବେ ପ୍ରଥମେ ଭାବନୀଙ୍କୁ ହତ୍ୟା କରିଥିଲେ ସୁପାରି କିଲର । ଭାବନୀଙ୍କ ମୃତଦେହ ଦେଖି ଦେବାରୁ ତାଙ୍କ ସାଙ୍ଗକୁ ବି ମାରି ପାଣିଙ୍କୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ସାଇଂଟିଫିକ୍ ଟିମ୍ ତଦନ୍ତ କରୁଛି ।