କନକ ବ୍ୟୁରୋ: ପ୍ରେମିକାକୁ ପ୍ରେସର କୁକରରେ ପିଟି ହତ୍ୟା କଲା ପ୍ରେମିକ । ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ଘଟଣା ମନରୁ ନ ଲିଭୁଣୁ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା କାହାଣୀ । ବେଙ୍ଗାଲୁରୁରେ ଲିଭ-ଇନ ରିଲେସନରେ ରହୁଥିବା ଜଣେ ଯୁବକ ନିଜ ପ୍ରେମିକାକୁ ପ୍ରେସର କୁକରରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ୨୪ ବର୍ଷୀୟ ଯୁବକ ବୈଷ୍ଣବ ଓ ଯୁବତୀ ଦେବୀ ଉଭୟ କେରଳର ହୋଇଥିବାବେଳେ ଦୁହେଁ ତିନି ବର୍ଷ ହେବ ଲିଭ-ଇନ-ରିଲେସନରେ ରହୁଥିଲେ । ତେବେ ଦେବୀ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ଶନିବାର ବୈଷ୍ଣବ, ଦେବୀଙ୍କ ସହ ପ୍ରବଳ ଝଗଡ଼ା କରିଥିଲା । ଏହି ସମୟରେ ଉତ୍ୟକ୍ତ ହୋଇ ବୈଷ୍ଣବ, ଦେବୀଙ୍କ ମୁଣ୍ଡକୁ ପ୍ରେସର କୁକରରେ ଖୁବ ଜୋରରେ ଆଘାତ କରିଥିଲେ । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଅଭିଯୁକ୍ତ ବୈଷ୍ଣବକୁ ଗିରଫ କରିଛି ପୋଲିସ । ପରିବାର ଲୋକେ ଦୁହିଁଙ୍କ ବିଷୟରେ ଜାଣିବା ସହ ସେମାନେ ଏକାଠି ରହୁଥିବା କଥା ଜାଣିଥିଲେ । ଦେବୀ ବାରମ୍ବାର ଫୋନ ରିସିଭ ନ କରିବାରୁ ପୁଲିସକୁ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ବହୁବାର ଝଗଡ଼ା ହେଉଥିବା ପଡ଼ୋଶୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ଫେରାର ହୋଇଥିବାବେଳେ ପୁଲିସ ବହୁ ଖୋଜାଖୋଜି କରି ବୈଷ୍ଣବଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।