ସାବଧାନ ଶତ୍ରୁ ! ଏବେ ଆତଙ୍କୀଙ୍କୁ ଖୋଜି ଖୋଜି ସଂହାର କରିବ ଶକ୍ତିଶାଳୀ ‘କମାଣ୍ଡୋ’ । କାଶ୍ମୀର ପାଇଁ କବଚ ସାଜିବ, କ୍ୟାମେରାରେ ଆତଙ୍କୀଙ୍କୁ ଦେଖି ନିପାତ କରିବ । ଜାଣନ୍ତୁ ଶତ୍ରୁ ଆଖିରୁ କାହିଁକି ନିଦ ହଜାଇଛି ଏହି ସ୍ୱତନ୍ତ୍ର ଗାଡି ?

284

କନକ ବ୍ୟୁରୋ: ଗାଡି ଗଡିବ, ଶତ୍ରୁ ଥରିବ । ଆତଙ୍କୀଙ୍କୁ ଖୋଜି ଖୋଜି ଆଖିବୁଜା ଗୁଳି କରିବ କମାଣ୍ଡୋ ଭେଇକିଲ୍ । ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ସଫା କରିବାକୁ ପୋଲିସକୁ ମିଳିଛି ପାୱାର ଫୁଲ ବ୍ରହ୍ମାସ୍ତ୍ର । ଏହି ଶକ୍ତିଶାଳୀ ଅସ୍ତ୍ର ଆତଙ୍କୀ ହମଲାରୁ ସୁରକ୍ଷା ଦେବା ସହ ଆତଙ୍କବାଦୀଙ୍କ ନିଦ ହଜାଇଦେବ । କଣ୍ଟାର ଜବାବ କଣ୍ଟାରେ  ଦେବା ପରି ଗୁଳିର ଜବାବ ଗୁଳିରେ ଦେଇ ମୁହାଁମୁହିଁ ଆକ୍ରମଣ କରିବ ଏହି କମାଣ୍ଡୋ ଗାଡି । ତେବେ ଆତଙ୍କବାଦୀଙ୍କ ନିପାତ ପାଇଁ ପୋଲିସକୁ ମିଳିଥିବା ଏହି ସ୍ୱତନ୍ତ୍ର ଗାଡି ଶତ୍ରୁ ସଂହାରରେ ବଡ ସହଯୋଗ କରିବ ।

https://www.facebook.com/KanakNews/videos/1308135622866477/

ଜମ୍ମୁ କଶ୍ମୀର ପୋଲିସର କ୍ରାଇସିସ ରେସପନ୍ସ ଟିମକୁ ଏହି ଗାଡି ଦିଆଯାଇଥିବା ବେଳେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଗାଡି ଦୂରଦୂର ଯାଏଁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବ । ତେବେ ଗାଡିଟି ସମ୍ପୂର୍ଣ୍ଣ ବୁଲେଟ୍ ପ୍ରୁଫ୍ ହୋଇଥିବାରୁ ଆତଙ୍କୀଙ୍କ ଗୁଳି ଏହି ଗାଡିର କିଛି ବି କ୍ଷତି କରିପାରିବନି । ସ୍ୱତନ୍ତ୍ର ଗାଡିର ନାଁ କମାଣ୍ଡୋ ରଖାଯାଇଥିବା ବେଳେ ଏଥିରେ ୧୦ଟି ସିସିଟିଭି, ପିଟିଜି କ୍ୟାମେରା ସହ ୩୬୦ ଡିଗ୍ରୀ ଘୁରି ପାରୁଥିବା କ୍ୟାମେରା ଲାଗିଛି ଯାହା ରାତିର ଅନ୍ଧାରରେ ବି କାମ କରିବ ଆଉ ୩ କିଲୋମିଟର ଦୂରରେ ଘଟୁଥିବା ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବ ।

ତେବେ ଜରୁରୀ କାଳୀନ ପରିସ୍ଥିତି, ବଡ ବିପର୍ଯ୍ୟୟ କିମ୍ବା ଏନକାଉଣ୍ଟର ସ୍ଥଳକୁ ଯାଇ କମାଣ୍ଡୋ ଭେଇକିଲ ଏହାର ମୁକାବିଲା କରିଥାଏ । ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ଏହି ଗାଡି ବ୍ୟବହାର କରାଯିବ । ଏଥିରେ ରାଡାର ବ୍ୟବସ୍ଥା ରହିଥିବା ବେଳେ ଯଦି ଟାୟାରରେ ଗୁଳି ବାଜିଯାଏ ତେବେ ୬୦ କିଲୋମିଟର ଯାଏଁ ବିନା ଅସୁବିଧାରେ ଏହା ଗଡିପାରିବ । ଗାଡି ଭିତରେ ବସି ସୁରକ୍ଷିତ ଭାବେ ବାହାରେ ହେଉଥିବା ପୂରା ଅପରେସନ ଜାଣିହେବ ।

ସେପଟେ କେବଳ ମୁକାବିଲା ପାଇଁ ନୁହେଁ ବରଂ ଯବାନଙ୍କ ରହିବା, ଖାଇବା ସୁବିଧା ମଧ୍ୟ ଏହି ଗାଡି ଭିତରେ କରାଯାଇଛି । ଏୟାରକଣ୍ଡିସନ ସହ ଆତ୍ୟାଧୁନିକ ପାୱାର ସପ୍ଲାଏ ସିଷ୍ଟମ କରାଯାଇଛି । ଯାହା ଫଳରେ ଯେକୌଣସି ସ୍ଥାନରେ ଗୋଟିଏ ସପ୍ତାହ ଯାଏଁ ଆରାମରେ ଗାଡି ଭିତରେ ରହିହେବ । ଏହି ସ୍ୱତନ୍ତ୍ର ଗାଡିରେ ଯବାନଙ୍କ ପାଇଁ ମେଡିକାଲ କିଟ୍, ଫ୍ରିଜ, ଓଭନ, ୱାସରୁମ, ଟଏଲେଟର ସୁବିଧା ବି ରହିଛି । ତେବେ ବଡ କଥା ହେଉଛି ଏହି ସ୍ୱତନ୍ତ୍ର ଗାଡିକୁ ମଧ୍ୟ ଟେଣ୍ଟ କରାଯାଇ ପାରିବ ଆଉ ସେଥିରେ ଯବାନମାନେ ଆରାମରେ ଶୋଇପାରିବେ । ତେବେ ଆତଙ୍କବାଦୀଙ୍କ ପାଇଁ ଯମଦୂତ ସାଜିଥିବା ଏହି କମାଣ୍ଡୋ ଦେଶ ପାଇଁ କବଜ ସାଜିବ ।