କେଉଁଠି ଅଛନ୍ତି ଆଫଗାନ ସରକାରର ଉପ-ପ୍ରଧାନମନ୍ତ୍ରୀ ? ଅନୁପସ୍ଥିତି ପରେ ମୃତ୍ୟୁ ହୋଇଥିବା ନେଇ ବଢିଲା ଆଶଙ୍କା

ସେପଟେ ଅଡିଓ ଟେପ ଜାରି କଲେ ବରାଦର

253

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନୀ ନେତା ନିଖୋଜ । ତାଲିବାନର ଦ୍ୱିତୀୟ ସର୍ବୋଚ୍ଚ ନେତା କୁହାଯାଉଥିବା ଓ ଆଫଗାନ ସରକାରର ଉପ-ପ୍ରଧାନମନ୍ତ୍ରୀ ମୁଲା ଅବଦୁଲ ଘନି ବରାଦରଙ୍କର କୌଣସି ପତା ମିଳୁନି । ସେ କେଉଁଠି ଅଛନ୍ତି , ସୁସ୍ଥ କି ଅସୁସ୍ଥ, ଜୀବିତ ଅଛନ୍ତି କି ମୃତ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଲିବାନ ୨୦ ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି । ଏପରେ ସମୟରେ ତାଲିବାନ ନେତା ନିଖୋଜ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତାଲିବାନୀ କାବୁଲ ଦଖଲ କରିବା ପରେ ବରାଦର ତାଲିବାନର ସବୁଠୁ ବଡ ନେତା ଭାବେ ବିଶ୍ୱ ସମ୍ମୁଖକୁ ଆସିଥିଲେ । କୁହାଯାଉଥିଲା ସେ ଆଫଗାନିସ୍ତାନର ଶାସନ ମୁଖ୍ୟ ହେବେ । କିନ୍ତୁ ସମୟ କ୍ରମେ ତାଲିବାନୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କ୍ଷମତା ଲଢ଼େଇ । ଆଉ ସେହି ଲଢ଼େଇରେ ବରାଦରଙ୍କ ଦେହରେ ଗୁଳି ବାଜିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଏନେଇ ତାଲିବାନ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନଥିଲା । ଏସବୁ ଭିତରେ ତରବରିଆ ଭାବେ ତାଲିବାନୀମାନେ ସରକାର ଗଠନ ନେଇ ଘୋଷଣା କରିଥିଲେ । ଏବେ ବରାଦରଙ୍କର ଏକ ଅଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଯେଉଁଥିରେ ବରାଦର କହୁଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଗୁଳିମାଡରେ ଆହତ ହୋଇନାହିଁନ୍ତି । ଯାହା ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତିହୀନ । ଯେଉଁ ନେତା ଆଫଗାନିସ୍ତାନର ମୁଖ୍ୟ ଆସନରେ ବସିବାକୁ ଯାଉଥିଲେ, ସେ କାହଁକି ସାମ୍ନାକୁ ଆସୁନାହାଁନ୍ତି । ସେହିପରି ତାଲିବାନୀଙ୍କ ମୁଖ୍ୟ କୁହାଯାଉଥିବା ମୁହ୍ଲା ହବିତୁଲା ଅଖୁନଜାଦାଙ୍କ ପତା ମିଳୁ ନାହିଁ । ସେ କେଉଁଠି ଅଛନ୍ତି, ଜୀବିତ ନା ମୃତ ସେ ନେଇ କୌଣସି ସ୍ପଷ୍ଟ ଉତର କାହା ପାଖରେ ନାହିଁ । ଏପରିକି ତାଲିବାନମାନେ ଆଫଗାନିସ୍ତାନକୁ ପୁଣି ଦଖଲ କରିବା ପରେ ବି ଅଖୁନଜାଦାଙ୍କୁ କେହି ଦେଖି ନାହାଁନ୍ତି ।