ବଞ୍ଚିଥିବା ଲୋକଙ୍କୁ ମାରିଦେଲେ, ମରିଥିବା ଲୋକଙ୍କୁ ବଞ୍ଚାଇଦେଲେ! ଭତ୍ତା ବଣ୍ଟନରେ ମହାଦୁର୍ନୀତି ଅଭିଯୋଗ ।

286

କନକ ବ୍ୟୁରୋ: ସରକାରୀ ଦସ୍ତାବିଜରେ ଜାଲ ତଥ୍ୟ ଦେଇ ଭତା ବଂଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଛି ଭତା ବଣ୍ଟନ । ଉଦଳା ଭୀମତାଳି ପଂଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ଆଶାବାଡ଼ି ଧରି ଚାଲୁଥିବା ଏହି ବୃଦ୍ଧଙ୍କୁ ସରକାରୀ ରେକର୍ଡରେ ମାରି ଦିଆଯାଇଛି । ୪ ମାସ ଆଗରୁ ମୟୁରଭଞ୍ଜ ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ଉପରଖୁଣ୍ଟାପାଳ ଗାଁର ବିଶିକେଶନ ସେଠୀଙ୍କୁ ମୃତ ଦର୍ଶାଯାଇଛି । ବର୍ଦ୍ଧିତ ଭତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବେଳେ ତାଙ୍କ ନାମ ଭତ୍ତା ତାଲିକାରୁ କଟିଥିବା ସେ ଜାଣିବାକୁ ପାଇଥିଲେ । ଖୋଳତାଡ କରିବାରୁ ସାମ୍ନାକୁ ଆସିଥିଲା ସାଂଘାତିକ ସତ ।

ସେହିପରି ଦୁଇ ବର୍ଷ ଆଗରୁ ଗାଁର ସୁଦର୍ଶନ ସେଠୀଙ୍କର ମୃତ୍ୟୁ ହୋଇଥିବା ବେଳେ ସରକାରୀ ଦସ୍ତାବିଜରେ ତାଙ୍କୁ ଜୀବିତ ଦର୍ଶାଇ ଆଜକୁ ଏକ ବର୍ଷେରୁ ଅଧିକ ଦିନ ହେଲା ତାଙ୍କ ନାମରେ ଭତା ଟଙ୍କା ପ୍ରଦାନ କରାଯାଉଛି । ଏଭଳି ଜାଲିଆତି କରି ଚାଲିଛି ଭତା ବଂଟନରେ ଦୁର୍ନୀତି ।

ଭତ୍ତା ଦୁର୍ନୀତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ରତିକାନ୍ତ ସିଂଙ୍କୁ ଘଟଣା ବାବଦରେ ପଚାରିବାରୁ କ୍ୟାମେରା ଆଡ଼େଇ ଚାଲିଯାଇଥିଲେ ଅଧିକାରୀ । ଅନ୍ୟପଟେ ଏହି ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ବିଡିଓ ।