କରୋନାରେ ଅଧିକ ସଂକ୍ରମିତ ହେଲେଣି ଛୋଟ ଛୁଆ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପ କାର୍ଯ୍ୟାଳୟ ଦେଲା ସୂଚନା

ଛୋଟ ଛୁଆ ଏବଂ ସ୍କୁଲକୁ ସୁରକ୍ଷିତ ରଖିବାକୁ ଆହ୍ୱାନ୍ ; ଏବେ ବି ଡେଲଟା ଭ୍ୟାରିଆଂଟର ପ୍ରଭାବ ଥିବା ସୂଚନା

108

କନକ ବ୍ୟୁରୋ : ୫ ରୁ ୧୪ ବର୍ଷର ପିଲା କରୋନା ଦ୍ୱାରା ଅଧିକ ସଂକ୍ରମିତ ହେଲେଣି । ମଙ୍ଗଳବାର ୟୁରୋପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟିକାକରଣ ଜରିଆରେ କରୋନାକୁ ରୋକି ହେବ ବୋଲି ନିର୍ଦ୍ଦେଶକ ଡାକ୍ତର ହନ୍ସ କ୍ଲୁଗ୍ କହିଛନ୍ତି । ସଂକ୍ରମଣ ବଢୁଥିବାରୁ ସ୍କୁଲ ଏବଂ ଛୋଟ ଛୁଆଙ୍କୁ ସୁରକ୍ଷିତ ରଖିବାକୁ କ୍ଲୁଗ୍ ଅପିଲ୍ କରିଛନ୍ତି । କିଛି ସ୍ଥାନରେ ବୟସ୍କଙ୍କ ତୁଳନାରେ ଛୋଟ ଛୁଆ ଦୁଇରୁ ତିନି ଗୁଣା ଅଧିକ ସଂକ୍ରମିତ ହୋଇଛନ୍ତି । ଟିକା ଜରିଆରେ ଏହି ସଂକ୍ରମଣର ଭୟାବହତାକୁ ରୋକି ହେବ ବୋଲି ସେ କହିଛନ୍ତି ।

ସାରା ବିଶ୍ୱରେ କରୋନାକୁ ରୋକିବାକୁ ଟିକାକରଣକୁ ଅମୋଘ ଅସ୍ତ୍ର କରାଯାଇଛି । କିନ୍ତୁ ୫ରୁ ୧୮ ବର୍ଷ ପିଲାଙ୍କୁ ଏଯାବତ ଟିକା ଦିଆଯାଇନି । ପୂର୍ବରୁ ଯେପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ରହୁଥିଲା ଏବେ ଆଉ ସେମିତି ନାହିଁ । ଟିକା ଆସିବା ପରେ ବଡ ଆକାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । କିନ୍ତୁ ମଧ୍ୟ ଏସିଆ ଏବଂ ଏହାକୁ ଲାଗି କରି ଥିବା ୫୩ଟି ଦେଶରେ ଦୁଇ ମାସ ହେବ କରୋନା ସଂକ୍ରମିତ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ଦୁଇ ଗୁଣା ବଢିଛି ବୋଲି କ୍ଲୁଗେ କହିଛନ୍ତି ।

ସେହିପରି କରୋନାର ଡେଲଟା ଭ୍ୟାରିଆଂଟ ଏବେ ବି ୟୁରୋପ ଏବଂ ମଧ୍ୟ ଏସିଆରେ ରହିଛି ବୋଲି ସେ ଦାବି କରିଛନ୍ତି । ନୂଆ ଭ୍ୟାରିଆଂଟ ଓମିକ୍ରନ ଏବେ ୨୧ଟି ଦେଶରେ ପହଂଚିଛି ବୋଲି ସେ କହିଥିବା ବେଳେ ଓମିକ୍ରନ ଦ୍ୱାରା ୪୩୨ ଜଣ ସଂକ୍ରମିତ ହୋଇଛନ୍ତି ବୋଲି ସେ କହିଛନ୍ତି ।