କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଜିତନ୍ତି ଅସହାୟ ଲୋକଙ୍କ ବିଶ୍ୱାସ । ଠକି ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା ।

90

କନକ ବ୍ୟୁରୋ : ଲୋକଙ୍କୁ ଜାଲ କାଗଜପତ୍ର ଦେଇ କିଡନୀ ପ୍ରତିରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଠକକୁ ଗିରଫ କରିଛି ପୋଲିସ । ୨ଜଣ ବ୍ୟକ୍ତିଙ୍କୁ କଥାରେ ଫୁଶୁଲାଇ ୯ଲକ୍ଷ ଟଙ୍କା ହଡପ କରିଛି । ବଡ ବଡ ହସ୍ପିଟାଲ ଏବଂ ବଡ ବଡ ଡାକ୍ତରଙ୍କ ନକଲି କାଗଡପତ୍ର ଦେଖାଇ ବିଶ୍ୱାସ ଜନ୍ମାଇବା ପରେ କିଡନି ପ୍ରତିରୋପଣର ମିଥ୍ୟା ଆଶ୍ୱାସନା ଦେଉଥିଲା ଠକ । ତେବେ କାଗଜପତ୍ର ଯାଂଚ କରୁ କରୁ ପଦାକୁ ଆସିଥିଲା ଏହି ଠକେଇ ପଛର ରହସ୍ୟ ।

ରୋଗୀଙ୍କୁ ଜାଲରେ ଫସାଇବାର ଭିନ୍ନ ତରିକା ଆପଣେଇଥିଲା ହିମାଂଶୁ । କିଡନୀ ଦରକାର କରୁଥିବା ରୋଗୀଙ୍କୁ ସହଜରେ, ସୁଲଭ ଦରରେ କିଡନି ପ୍ରତିରୋପଣ କରାଇବା ପାଇଁ କହିଥାଏ । ଥରେ ରାଜି ହୋଇଗଲେ ରାଜ୍ୟ ବାହାରେ ନେଇ ପରୀକ୍ଷା ନିରିକ୍ଷା କରାଏ । ଆଉ ବାରମ୍ବାର ଟଙ୍କା ନେଇଥାଏ । କେବେ ହେବ ଅପରେସନ, କେଉଁଠି ହେବ ଅପରେସନ ସେନେଇ ବଡ ବଡ ହସ୍ପିଟାଲର ଜାଲ କାଗଜପତ୍ର ଦେବା ସହିତ ବଡ ବଡ ଡାକ୍ତରଙ୍କ ରିପୋର୍ଟ ମଧ୍ୟ ଦେଇଥାଏ ହିମାଂଶୁ । ଏଥିସହ କିଡନି ପ୍ରତିରୋପଣ ନେଇ ନ କଲି କୋର୍ଟ ପେପର ମଧ୍ୟ ଦେଇଥାଏ ।

ହିମାଂଶୁଙ୍କ ପ୍ରଥମ ଶିକାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଠାରୁ ମଧ୍ୟ କିଡନି ପ୍ରତିରୋପଣ ନାଁରେ ୫ଲକ୍ଷ୫୦ ହଜାର ଟଙ୍କା, ଦ୍ୱିତୀୟ ଶିକାର ଜଣେ ମହିଳାଙ୍କ ଠାରୁ ୩ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛି ହିମାଂଶୁ । କାଗଜପତ୍ରର ଖୋଳତାଡ କରୁ କରୁ ଏହି ଠକାମୀର ପର୍ଦ୍ଦାଫାଶ ହୋଇଥିଲା ।

ଠକେଇ ମାମଲା ଥାନାରେ ପହଂଚିବାପରେ କିଡନି ପ୍ରତିରୋପଣ ନାଁରେ ଏହିପରି ଠକେଇ କରୁଥିବା ହିମାଂଶୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଠକେଇର ଶିକାର ହୋଇଥିବା ଏହି ୨ଜଣଙ୍କ ଛଡା ଆଉ କିଏ କିଏ ହିମାଂଶୁଙ୍କ ଠକାମୀର ଶିକାର ହୋଇଛନ୍ତି ସେନେଇ ପୋଲିସ ତନାଘନା ଚଲାଇଛି ।