ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ: ୩ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ

କିଡନୀ ରାକେଟ୍ ପଛରେ ରହିଛି କାହାର ହାତ, କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ

77

କନକ ବ୍ୟୁରୋ: ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ । କିଡନୀ ରାକେଟ୍ ପଛରେ କାହାର ହାତ ରହିଛି, ଏନେଇ ଏହି ରିମାଣ୍ଡ ଅବଧିରେ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କିଡନୀ ଆବଶ୍ୟକ ଥିବା ଲୋକଙ୍କ ପାଖରେ କିପରି ପହଂଚିପାରୁଥିଲା ହିମାଂଶୁ । ଲୋକଙ୍କ ଡାଟା କେମିତି ତାକୁ ମିଳୁଥିଲା । କିଏ ହିମାଂଶକୁ ଏସବୁ ତଥ୍ୟ ଦେଉଥିଲା । ଏହି କାରବାର ପଛରେ କେଉଁ ଡାକ୍ତରଙ୍କ ସଂପୃକ୍ତି ରହିଛି । କେଉଁମାନେ ହିମାଂଶୁ ସହ ଯୋଗାଯୋଗରେ ରହିଥିଲେ । ତିନି ଦିନିଆ ରିମାଣ୍ଡ ଅବଧିରେ ଏସବୁ ଦିଗ ଉପରେ ଖୋଳତାଡ କରିବ କମିସନରେଟ ପୁଲିସ ।

ସୂଚନାଯୋଗ୍ୟ, ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କୁ କିଡ୍‍ନି ଦେବାକୁ କହି ୨୦୧୯ ମସିହାରେ ହିମାଂଶୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା। ଏହା ପରେ ସେ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ଗତ ୧୧ ତାରିଖ ଦିନ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗତ ୧୨ ତାରିଖ‌ରେ ଗିରଫ କରିଥିଲା। ଏହି ଖବର ପ୍ରକାଶ ପାଇବା ପରେ ହିମାଂଶୁ କିଡ୍‌ନି ରୢାକେଟ୍‌ର କିଙ୍ଗପିନ୍ ବୋଲି ଜଣାପଡ଼ିଥିଲା।

ରାଜଧାନୀରେ ତା’ ଦ୍ବାରା ଠକାମିର ଶିକାର ହୋଇଥିବା ଅନ୍ୟ ଲୋକେ ବି ଅଭିଯୋଗ କରିବାକୁ ଲାଗିଲେ। ତା’ ବିରୋଧରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁଙ୍କୁ କିଡ୍‌ନି ଦେବାକୁ କହି ହିମାଂଶୁ ୧ ଲକ୍ଷ ୧୯ ହଜାର ଟଙ୍କା ଠକିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ସେହିଭଳି ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କୁ କିଡ୍‌ନି ଦେବା ବାହାନାରେ ସେ ୧୮ ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଥିବା‌ ଅଭିଯୋଗ ଆସିବା ପରେ ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି।