କନକ ବ୍ୟୁରୋ: ବଞ୍ଚିବା ପାଇଁ କିଡନୀ ରୋଗୀଙ୍କ ଗୁହାରୀ । କଟକ ବଡ଼ ଡାକ୍ତରଖାନାରେ କିଡନୀ ପ୍ରତ୍ୟାରୋପଣ ପରେ ଏବେ ସେମାନଙ୍କ ଜୀବନ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ସେମାନଙ୍କ ଅଭିଯୋଗ, ନିଷିଦ୍ଧ ଔଷଧ ଖାଇବାକୁ ଦିଆଯାଉଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅଢ଼େଇ ମାସ ଧରି ଧାରଣାରେ ବସିବା ପରେ ସରକାର ସମାଧାନର ବାଟ ବାହାର କରିନଥିବାରୁ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନ ଆଗରେ ଦେଇଛନ୍ତି ଧାରଣା । ବେକରେ ଦଉଡ଼ି ଓ ମୁହଁରେ କଳା କପଡ଼ା ବାନ୍ଧି, ଭଲ ଔଷଧ, ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ନହେଲେ ସମୂହ ଆତ୍ମହତ୍ୟା କରିବେ ଚେତାବନୀ ଦେଇଛନ୍ତି କିଡନୀ ରୋଗୀ ।
ଆଖିରୁ ଠପ ଠପ ହୋଇ ବୋହିଯାଉଛି ଲୁହ । ଜୀବନ ଓ ମୃତ୍ୟୁ ଭିତରେ ସଂଗ୍ରାମ କରୁଥିବା ମଣିଷ ବଞ୍ଚିବା ପାଇଁ କରୁଛି ଗୁହାରୀ । ବେକରେ ଲାଗିଛି ଫାଶୀ ଦଉଡି । ମୁହଁରେ କଳା କପଡା । କିଡନୀ ରୋଗରେ ପୀଡିତ ରୋଗୀ ଏବଂ କିଡନୀ ଦାତା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ କରିଛନ୍ତି ଏଭଳି ଅଭିନବ ବିକ୍ଷୋଭ ପ୍ରଦର୍ଶନ ।
ଧାରଣାରେ ବସିଥିବା ଏହି କିଡନୀ ରୋଗୀଙ୍କ କାହାଣୀ ବେଶ ହୃଦୟ ବିଦାରକ । କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାର ଅକ୍ଷୟ ଶାସମଲଙ୍କ ଜୀବନରେ ଭରି ରହିଛି ଅନେକ ଯନ୍ତ୍ରଣା । ଅକ୍ଷୟଙ୍କ କିଡନୀ ନଷ୍ଟ ହେଲା ପରେ ପତ୍ନୀ ନିଜ କିଡନୀ ଦେଇଥିଲେ । କିନ୍ତୁ କେଇ ମାସ ଭିତରେ ପତ୍ନୀ ଆଖି ବୁଜିଦେଲେ । ଏବେ ଦୁଇ ଝିଅଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ । କିନ୍ତୁ ସରକାର ଦେଉଥିବା ଔଷଧ ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗୁଡୁଥିବା କହିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଭଳି ଅନେକ କିଡନୀ ରୋଗୀ ଏବେ ବଞ୍ଚିବା ପାଇଁ ମାଗୁଛନ୍ତି ଭଲ ଔଷଧ ।
କଟକ ବଡ଼ ଡାକ୍ତରଖାନାରେ କିଡନୀ ରୋଗୀଙ୍କୁ ଟାକ୍ରୋଲିମସ୍ କ୍ୟାପ୍ସୁଲ , ନେଫଗ୍ରାଫ ପଏଣ୍ଟ ୫ ବଟିକା ମାଗଣାରେ ମିଳୁଛି । ତେବେ ଏହି ଔଷଧକୁ ଚଣ୍ଡୀଗଡର ରେଜିଓନାଲ ଡ୍ରଗ ଟେଷ୍ଟିଂ ଲ୍ୟାବ୍ ନିଷିଦ୍ଧ କରିଥିବାବେଳେ ଏହା କେମିତି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି କିଡନୀ ରୋଗୀ । ସ୍ୱାସ୍ଥ୍ୟ ମନ୍ତ୍ରୀ ସମାଧାନର ବାଟ ବାହାର ନକଲେ ସମୁହ ଆତ୍ମାହତ୍ୟା କରିବାକୁ ଚେତାଇ ଦେଇଛନ୍ତି । ଅନ୍ୟପଟେ ଏନେଇ ଆମେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।