ଉଦବେଗଜନକ ସ୍ଥିତିରେ କିଡନୀ ରୋଗ ! ଏସସିବିରେ ବର୍ଷକୁ ଯାଉଛି ୪ଶହ ଜୀବନ

393

କନକ ବ୍ୟୁରୋ : ରାଜ୍ୟରେ ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି କିଡନୀ ରୋଗ। ଯଦି କେବଳ ଏସସିବିରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ଦେଖାଯାଏ ତେବେ ଦିନକୁ ଅତି କମରେ ଜଣେ ରୋଗୀ ଓ ବର୍ଷକୁ ୩୬୫ରୁ ୪ଶହ ରୋଗୀ କିଡନୀ ରୋଗରେ ପ୍ରାଣ ହରାଉଛନ୍ତି। ୨୦୧୧ରେ ୨୧୯୫ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୧୪ହଜାର ୦୭୬ରେ ପହଂଚିଛି। ଅର୍ଥାତ୍ ୮ବର୍ଷରେ ଚିହ୍ନଟ ହୋଇଛନ୍ତି ନୂଆ ୧୧ହଜାର ୮୮୧ କିଡନୀ ରୋଗୀ। ଅର୍ଥାତ୍ ବର୍ଷକୁ ୧୪୮୫ଜଣ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏସସିବିରେ ଡାଏଲିସିସ୍ କରୁଥିବା ତଥ୍ୟରୁ ଜଣାପଡିଛି। ସେହିପରି କ୍ରୋନିକାଲ କିଡନି ରୋଗରେ ୧୦ହଜାର ୧୫୪ଜଣ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏସସିବିରେ। ଅନ୍ୟପଟେ ଓଡ଼ିଶାରେ ପ୍ରାୟ ୨ଲକ୍ଷ ୧୦ହଜାର ରୋଗୀ କିଡନୀ ଆକ୍ରାନ୍ତ ହୋଇଥିବା ଏକ ତଥ୍ୟରୁ ଜଣାପଡିଛି।

କିଡନୀ ରୋଗରେ ଦିନକୁ ଦିନ ଏଭଳି ମାରାତ୍ମକ ରୂପ ନେଉଛି। ଯୁବକ ଓ ପ୍ରୌଢ଼ମାନେ ଅନେକାଂଶରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଏହାର କାରଣ ଖୋଜି ବାହାରା କରିବା ବର୍ତ୍ତମାନ ପାଇଁ ଏକ ଆହ୍ବାନ ହୋଇଛି। ରୋଗ ପ୍ରାୟ ଶେଷ ପର୍ଯ୍ୟାୟରେ ଆସିବା ସମୟରେ ହିଁ ରୋଗୀକୁ କିଡନୀ ରୋଗ ହୋଇଥିବା ଜଣାପଡୁଛି। ଏପରି ସ୍ଥିତି ଆସୁଛି ଯେ, ରୋଗ ନିରୂପଣ ହେବାବେଳକୁ ଏହା ରୋଗୀର କିଡନୀକୁ ସଂପୂର୍ଣ୍ଣ ଅଚଳ କରିଦେଉଛି। ଉଚ୍ଚ ତାପମାତ୍ରାରେ ଶାରୀରିକ ପରିଶ୍ରମ କରିବା, କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ରାସାୟନିକ ସାର ଓ ଅନ୍ୟାନ୍ୟ ରସାୟନର ସଂସ୍ପର୍ଶରେ ଆସିବା, ଅତ୍ୟଧିକ ବିନ୍ଧାଛିଟିକା ଔଷଧ ସେବନ ଓ ଭେଜାଲ ମଦ୍ୟପାନ, ଦୂଷିତ ଜଳ ବ୍ୟବହାର ଯୋଗୁଁ ଏହି ରୋଗ ବ୍ୟାପୁଥିବା ସର୍ଭେରୁ ଜଣାପଡିଛି।

ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ କହିବା ଅନୁସାରେ, ଓଡ଼ିଶାର କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, ମନମୁଣ୍ଡା, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଫୁଲବାଣୀ ଓ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡନୀ ରୋଗ ଦେଖାଦେଉଛି। କେଉଁ କାରଣରୁ ଏହି ସବୁ ଅଞ୍ଚଳରେ କିଡନୀ ରୋଗର ଭୟାବହତା ବୃଦ୍ଧି ପାଉଛି, ତାର ଠିକ୍ କାରଣ ମଧ୍ୟ ଜଣାପଡୁନାହିଁ।

କ୍ରୋନିକ୍ କିଡନୀ ରୋଗୀ (ସିକେଡି)ଙ୍କ ସଂଖ୍ୟା ୨୦୧୧ରେ ୯୭୩ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୧୦ ହଜାର ୧୫୪ରେ ପହଞ୍ଚିସାରିଛି। ୨୦୧୨ରେ ୧୦୫୫ରୋଗୀ, ୨୦୧୩ରେ ୧୯୭୮, ୨୦୧୪ରେ ୨୧୫୭, ୨୦୧୫ରେ ୪୩୨୫, ୨୦୧୬ରେ ୬୨୯୦, ୨୦୧୭ରେ ୮୪୬୪ ସିକେଡି ରୋଗୀ ଏସସିବିରେରେ ଭର୍ତ୍ତି ହୋଇଛନ୍ତି। ସେହିପରି ୨୦୧୧ରେ ୨୧୯୫ଜଣ ଡାଏଲିସିସ୍ ହୋଇଥିବାବେଳେ ୨୦୧୨ରେ ୩୪୭୦, ୨୦୧୩ରେ ୩୭୩୨, ୨୦୧୪ରେ ୩୯୯୪, ୨୦୧୫ରେ ୫୭୯୮, ୨୦୧୬ରେ ୮୬୯୦, ୨୦୧୭ରେ ୧୨୪୮୭ ଓ ୨୦୧୮ରେ ୧୪୦୭୬ ରୋଗୀଙ୍କ ଡାଏଲିସିସ୍ ହୋଇଥିବା ଏସସିବି ତଥ୍ୟରୁ ଜଣାପଡିଛି। ଅନ୍ୟପଟେ ବର୍ଷକୁ ଏହି ରୋଗ ନେଉଛି ୩୬୫ରୁ ୪ଶହ ଜୀବନ। ଏହି ରୋଗ ସଂପର୍କରେ ତର୍ଜମା କରିବା ସହ ରୋଗକୁ କିପରି ପ୍ରତିହତ କରାଯିବ ସେ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି କହିଛନ୍ତି ବିଶେଷଜ୍ଞ ଟିମ୍।

Comments are closed.