କନକ ଏକ୍ସକ୍ଲୁସିଭ୍: କ୍ରସରର କଳା ଧୂଆଁ କରୁଛି ସାଂଘାତିକ କିଡନୀ ରୋଗ ! ୩ ବର୍ଷରେ ଗଲାଣି ୬୦ରୁ ଅଧିକ ଜୀବନ, ମୃତ୍ୟୁର ସଉଦାଗରକୁ କେବେ ମିଳିବ ଶାସ୍ତି ?

ଗତ ୩ ବର୍ଷରେ କିଡ଼ନୀ କାୟାରେ ଆଖିବୁଜିଲେଣି ୬୦ରୁ ଅଧିକ ଜୀବନ । କେବଳ ଏତିକି ନୁହେଁ ଏବେ ବି କିଡନୀ କବଳରେ ଆକ୍ରାନ୍ତ ଅଛନ୍ତି ୩୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ।

571

କନକ ବ୍ୟୁରୋ: ରାଜ୍ୟରେ କିଡନୀ ରୋଗ ସଂଗୀନ୍ ଥିବାବେଳେ ତାହା କେତେ ସାଂଘାତିକ ହୋଇପାରେ ଏହାର ଏକ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ଗାଁର ହରିଜନ ବସ୍ତିରେ । ଗତ ୩ ବର୍ଷରେ କିଡ଼ନୀ କାୟାରେ ଆଖିବୁଜିଲେଣି ୬୦ରୁ ଅଧିକ ଜୀବନ । କେବଳ ଏତିକି ନୁହେଁ ଏବେ ବି କିଡନୀ କବଳରେ ଆକ୍ରାନ୍ତ ଅଛନ୍ତି ୩୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ । ତେବେ କାହିଁକି ବାବନ୍ଧ ଗାଁକୁ ମାଡ଼ି ବସିଛି କିଡନୀ ବିପଦ? ସତ୍ୟାସତ୍ୟ ଜାଣିବା ପାଇଁ କନକ ନୁଜ୍ୟର ପ୍ରତିନିଧି ପହଁଚିଥିଲେ ବାବନ୍ଧରେ, ଆଉ କ୍ୟାମେରା ଗୋଟି ଗୋଟି କରି କଏଦ୍ ହେଲା କିଡନୀର କରାଳ ରୂପ ।

ହିନ୍ଦୋଳ ବ୍ଲକ ବାବନ୍ଧ ଗାଁ ବିଗତ କିଛି ବର୍ଷ ହେବ କିଡନୀ କାୟା ମେଲାଇବାରେ ଲାଗିଛି । ସ୍ଥିତି ଏପରିକି ଯେ, ମହିଳାଙ୍କ ଅପେକ୍ଷା ପୁରୁଷମାନନେ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି । ଯାହା ଫଳରେ ଗାଁ ପୁରୁଷ ଶୁନ୍ୟ ହୋଇ ଯିବାକୁ ବସିଲାଣି । ତେବେ ଏହାପଛର ସତ ନେଇ ସ୍ଥାନୀୟବାସିନ୍ଦା କହନ୍ତି , ଗାଁ ପାଖକୁ ଲାଗି ଗଢ଼ିଉଠିଥିବା ଶିଳ୍ପାଞ୍ଚଳ ଯୋଗୁଁ ପ୍ରତିଦିନ ସଂଖ୍ୟାଧିକ କ୍ରସର କଳାଧୁଆଁ କିଡନୀ କାୟାର କାରଣ ପାଲଟିଛି । ଏହାଦ୍ୱାରା ଆଖପାଖ କୁଅ, ପୋଖରୀ ପାଣି ବିଷରେ ପାଲଟୁଛି । ଯାହାର ଫଳ ସ୍ୱରୁପ ଗତ କିଛି ବର୍ଷହେବ ଗାଁକୁ ମାଡ଼ିବସିଛି କିଡନୀ କାଳ ଯମ ।

ଅନ୍ୟପଟେ ବାବନ୍ଧ ଗ୍ରାମର ଏଭଳି ବିପଦକୁ ନେଇ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଦେଉନାହାନ୍ତି । ତେଣୁ ଗ୍ରାମବାସୀମାନେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଏବଂ ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ଏବାବଦରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏହାସତ୍ୱେ କୌଣସି ସୁଫଳ ମିଳିପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଗଣମାଧ୍ୟ ସହାୟତାରେ ସେମାନକଂ ଦୁର୍ଦଶାକୁ ସରକାରକଂ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଶା ରଖିଛନ୍ତି ।