ମାଆ ! ମୁଁ କଣ ଆଉ ସ୍କୁଲ ଯାଇପାରିବିନି…? କିଡନୀ ରୋଗରେ କଲବଲ ହେଉଛି କୁନି ପୁଅ କ୍ରିସ । ହସିବା, ଖେଳିବା ବୟସରେ ରୋଗ ବିଛଣାରେ ବିତୁଛି ଶୈଶବ ।

225

କନକ ବ୍ୟୁରୋ: ତାର ବି ଇଚ୍ଛା ଅଛି ଘରୁ ଯାଇ ବାହାରେ ବୁଲିବ । ମାଆ କୋଳରୁ ଉଠିଯାଇ ସାଙ୍ଗମାନଙ୍କ ସହ କବାଡି ଖେଳିବ । ଆଉ ସମସ୍ତଙ୍କ ପରି ସ୍କୁଲ ଯାଇ ପାଠ ପଢିବ । ହେଲେ ତାର ସବୁ ଇଚ୍ଛା ଏରୁଣ୍ଡି ଡେଇଁ ପାରୁନି କି ସବୁ ସ୍ୱପ୍ନ କାନ୍ଥ ସେପାରିକୁ ଯାଇପାରୁନି । କିଡନୀ ରୋଗରେ କଲବଲ ହେଉଥିବା କ୍ରିସ୍ ସବୁ ଇଚ୍ଛାକୁ ଆହୁତି ଦେଇ ଘରର ଚାରି କାନ୍ଥ ଭିତରେ ପଡି ରହୁଛି ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ମୁରାଦପୁର ଗାଁର କ୍ଷୀରୋଦ ମଲ୍ଲିକଙ୍କ ୧୦ ବର୍ଷର ପୁଅ କ୍ରିସ ୩ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ । ୪ର୍ଥ ଶ୍ରେଣୀରେ ପଢୁଥିବା କ୍ରିସ ସ୍କୁଲରେ ସାଙ୍ଗମାନଙ୍କ ସହ ଖେଳିଲା ବେଳେ ଗୋଡ ଭାଙ୍ଗି ଯାଇଥିଲା ଆଉ ତାର ପରଠାରୁ ଧିରେ ଧିରେ ବିଗିଡିବାକୁ ଲାଗିଥିଲା କ୍ରିସର ଦେହ ।

ପୁଅର ଏଭଳି ଅବସ୍ଥା ଦେଖି ବାପାମାଆ କଟକରେ ଦେଖାଇଥିଲେ ଆଉ ପରେ କ୍ରିସର ଗୋଟିଏ କିଡନୀ ନଷ୍ଟ ହୋଇଥିବା ଜଣାପଡିଥିଲା । ତେବେ ଘରେ ଯାହାକିଛି ଥିଲା ସବୁ ବିକି ଭାଙ୍ଗି ପୁଅର ଔଷଧ ପାଇଁ ଖର୍ଚ୍ଚ କରିସାରିଥିବାରୁ ଏବେ ମୁଲ ଲାଗି ଚଳୁଥିବା କ୍ଷୀରୋଦଙ୍କ ପାଇଁ ପୁଅର ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଛି ।

ସେପଟେ ୩ ବର୍ଷ ହେବ ବିଛଣାରେ ପଡି ରହିଥିବା କୁନି ପୁଅ କ୍ରିସ ବି ସୁସ୍ଥ ହେବାକୁ ଆଖିରେ ଆଖିଏ ଆଶା ନେଇ ବସିଛି । ସରକାରୀ ସ୍ତରରେ ହେଉ ଅବା
କେହି ସହୃଦୟ ବ୍ୟକ୍ତି ଯଦି କୁନି ପୁଅ କ୍ରିସକୁ ସହାୟତାର ହାତ ବଢାନ୍ତି ତେବେ ଖୁବଶୀଘ୍ର ଭଲହୋଇ ସେ ସାଙ୍ଗମାନଙ୍କ ସହ ସ୍କୁଲ ଯାଆନ୍ତା ଆଉ ଖେଳକୁଦ କରନ୍ତା ବୋଲି ପରିବାର ଲୋକେ ଗୁହାରୀ କରିଛନ୍ତି ।