କଅଁଳ ବୟସରେ ପୁଅକୁ କିଡନୀ ରୋଗ : ଭଲ କରିବାକୁ ଦାଦନ ଖଟୁଛନ୍ତି ବାପା, ସହାୟତା ପାଇଁ କରୁଛନ୍ତି ନିବେଦନ

88

କନକ ବ୍ୟୁରୋ : ବଲାଙ୍ଗୀର ବେଲପଡ଼ା ଅଂଚଳର ଜଣେ ଦିନ ମଜୁରିଆ ପରିବାର ଉପରେ ମାଡି ଆସିଛି ଦୁଃଖର ପାହାଡ଼ । ସାତ ବର୍ଷର ପୁଅ ରାଘବ ସୁନା, ଜଟିଳ କିଡନୀ ରୋଗରେ ପୀଡିତ । ପୁଅକୁ ଭଲ କରିବା ପାଇଁ ଦାଦନ ସାଜିଛନ୍ତି ବାପା । ସବୁ ରୋଜଗାର, ସବୁ ସଂପତି ଖର୍ଚ୍ଚ କରି ସର୍ବସ୍ୱାନ୍ତ ହେବା ପରେ ବି ଦିନକୁ ଦିନ ପୁଅର ସ୍ୱାସ୍ଥ୍ୟ ସେବା ବିଗିଡ଼ିବାରେ ଲାଗିଛି । ବର୍ଷ ତମାମ ବିଭିନ୍ନ ସରକାରୀ ବେସରକାରୀ ଡାକ୍ତରଖାନା ବୁଲି ବୁଲି ନିରାଶ ହେବା ପରେ ପରିବାର ଲୋକଙ୍କ ଆଖିରୁ ଖାଲି ଲୁହ ଝରୁଛି । ଅପେକ୍ଷା କରିଛନ୍ତି, କିଏ ଦେବ ଦୂତ ହୋଇ ଆସିବ, ଆଉ ରାଘବର ରୋଗ ଦୂର କରିବ ।

ରାଘବ ସୁନା । ବୟସ ମାତ୍ର ୭ ବର୍ଷ । କିନ୍ତୁ ଏହି କଅଁଳ ବୟସରେ ସେ କିଡନୀ ରୋଗରେ ପୀଡ଼ିତ । ଏବେ ତା’ର ଅବସ୍ଥା ଦେଖିଲେ, ଆଖିରେ ଲୁହ ଆସିଯିବ । ରାଘବର ଆଖି ଏପରି ଫୁଲି ଯାଇଛି ଯେ ଆଖି ଆଉ ଖୋଲି ହେଉନି । ତାଙ୍କର ଏହି ଅବସ୍ଥା ଦେଖିବା କିମ୍ବା ଦେଖାଇବା ସମ୍ଭବ ନୁହେଁ । ନିଜ ଅଲିଅଳ ପୁଅର ଅବସ୍ଥା ଦେଖି ଧୈର୍ଯ୍ୟ ଧରିପାରୁନାହାନ୍ତି ପରିବାର । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । ପୁଅକୁ ଭଲ କରିବା ପାଇଁ ସର୍ବସାନ୍ତ ହୋଇଗଲେଣି । ଏବେ ଅସହାୟ ହୋଇ ସରକାରଙ୍କ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ ।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ତେନ୍ତୁଲିମୁଣ୍ଡାର ରାଘବ ସୁନାଙ୍କ ଘର । ବାପା ଇଶ୍ୱର ସୁନା ଦିନ ମଜୁରିଆ ଭାବେ କାମ କରନ୍ତି, ବାହାର ରାଜ୍ୟରେ ଦାଦନ ଖଟନ୍ତି । ପୁଅକୁ ଭଲ କରିବା ପାଇଁ ଦିନ ରାତି ଏକ କରି କାମ କରନ୍ତି । କଟକ ବଡ଼ ଡାକ୍ତରଖାନାରୁ ଆରମ୍ଭ କରି ସବୁ ସରକାରୀ ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହୋଇଗଲେଣି । ହେଲେ ରାଘବର ଅବସ୍ଥା ଯେମିତି ଥିଲା ସେମିତି । ଯାହା ଅଳ୍ପ କିଛି ଜମି ଥିଲା ତାହା ବି ପୁଅ ପାଇଁ ବିକ୍ରି କରି ସାରିଛନ୍ତି । ଧାର କରଜ କରି ଚିକିତ୍ସା କରୁଛନ୍ତି, ହେଲେ କୌଣସି ଫଳ ମିଳୁନି । ମାସକ ତଳେ ରାଘବର ବଡ ଭଉଣୀଙ୍କ ଅଚାନକ ଦେହ ଖରାପ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । କିଡନୀ ଓ ଲିଭର ଖରାପ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ଏହାପରେ ପରିବାର ଲୋକଙ୍କ ଆଖିକୁ ଆଉ ନିଦ ଆସୁନି । ରାଘବ କିପରି ଭଲ ହେବ, ସହୃଦୟ ବ୍ୟକ୍ତି ଓ ସରକାରଙ୍କୁ ନେହୁରା ହୋଇଛନ୍ତି ପରିବାର ଲୋକ ।

 ରାଘବ କିପରି ଭଲ ହେବ । କିଡନୀ ରୋଗରୁ ଆରୋଗ୍ୟ ହୋଇ ପୁଣି ଥରେ ସ୍ୱାଭାବିକ ଜୀବନ ଜିଇଁବ । ଏହା ଏବେ ନିର୍ଭର କରୁଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଓ ସରକାରଙ୍କ ଅନୁଦାନ ଉପରେ ।  ଯଦି ଆପଣ ସାହାଯ୍ୟର ହାତ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଇଶ୍ୱର ସୁନାଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ପଠାଇ ପାରିବେ ।
ରାଘବଙ୍କ ପାଇଁ ସହାୟତା
ଇଶ୍ୱର ସୁନା
ଆକାଉଂଟ ନମ୍ବର : ୩୩୯୩୩୭୮୧୭୪୯
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
IFSC: SBIN୦୦୦୩୯୨୨