ବନ୍ଧୁକ ମୁନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ ଘଟଣା,୨ ଗିରଫ

123

କନକ ବ୍ୟୁରୋ : ବନ୍ଧୁକ ଦେଖାଇ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ । ଶିକ୍ଷକ ଯେଉଁ କାରରେ ଆସୁଥିଲେ, ସେହି ଗାଡି ସହ ତାଙ୍କୁ ଅପହରଣ କରିନେଇଥିଲେ ଦୁବୃର୍ତ୍ତ, ହେଲେ ସୌଭାଗ୍ୟବଶତଃ ସେହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ସ୍ଥାନୀୟ ଲୋକେ ପିଛା କରି ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୨ ଦୁର୍ବୃତଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ।

ଅପହରଣର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କମଳାଙ୍ଗ ଗାଁର ରବିନ୍ଦ୍ର କୁମାର ସାହୁ । ସେ ଗତକାଲି ନିଜ କାର୍ ଯୋଗେ ଝାରସୁଗୁଡାରୁ ଘରକୁ ଫେରୁଥିବା ବେଳେ ଅପହରଣର ଶିକାର ହୋଇଥିଲେ । ସକାଳ ସାଢେ ୧୦ଟା ବେଳେ ଦେବଗଡ ଜିଲ୍ଲା ବାରକୋଟ୍ ଥାନା ଟୋଲଗେଟ ନିକଟରେ ସେ ଗାଡି ରଖି ପରିସ୍ରା କରୁଥିବା ବେଳେ ଏକ ବାଇକରେ ୩ ଜଣ ଯୁବକ ପହଂଚି ଶ୍ରୀ ସାହୁଙ୍କୁ ବନ୍ଧୁକ, ଭୂଜାଲି ଦେଖାଇ କାର୍ ପଛ ସିଟରେ ବସାଇ ଦେଇଥିଲେ । ତାଙ୍କ ଠାରୁ ମୋବାଇଲ, ପସ୍ ଏଟିଏମ୍ କାର୍ଡ ଛଡାଇ ନେଇ ବନ୍ଧୁକରେ ମୁଣ୍ଡର ପଛପଟକୁ ପିଟିଦେଇଥିଲେ । ଫଳରେ ମୁଣ୍ଡଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା ।

ଶ୍ରୀ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାରରେ ଦ୍ରୂତଗତିରେ ପାଲଲହଡା ଆଡକୁ ନେଇ ଯାଉଥିବା ବେଳେ କାର୍ଟି ଜଣେ ବାଇକ୍ ଆରୋହୀଙ୍କ ସହ ଦୁର୍ଘଟଣା ଘଟାଇବାରୁ କିଛି ଯୁବକ କାରକୁ ପିଛା କରିଥିଲେ । କାରର ଆଗ ଚକା ଫାଟିଯିବାରୁ ତେଲକୋଇ ଥାନା ଅଧୀନ ନୂଆଡିହ ଛକରେ ଏକ ପୋଖରୀ ପାଖରେ ଟାୟାର ବଦଳାଉଥିଲେ ଅପହରଣକାରୀ । ଏହି ସମୟରେ ସ୍ଥାନୀୟ ଲୋକେ ୨ ଦୁର୍ବୃତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଖସିପଳାଇଛି । ସମସ୍ତଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେରର ବୋଲି ଜଣାପଡିଛି ।