ରାଜଧାନୀରେ ଡେଲିଭରି ବୟଙ୍କୁ ଅପହରଣ । ନଦୀବନ୍ଧରୁ ମିଳିଲା ଗଞ୍ଜି, ପର୍ସ ଆଉ ଚପଲ ।

231

କନକ ବ୍ୟୁରୋ: ରାଜଧାନୀରେ ଡେଲିଭରି ବୟକୁ ଅପହରଣ । ଗତକାଲି ରାତିରେ ଘରକୁ ଫେରୁଥିବା ସମୟରେ ଜଣେ ଡେଲିଭରି ବୟକୁ ଅପହରଣ ହୋଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ତେବେ ସେପଟେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଯୁବକଙ୍କୁ ରାତି ତମାମ ଖୋଜିବା ସହ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା ପୋଲିସ । ଆଉ ଲିଙ୍ଗିପୁର ଅଞ୍ଚଳରୁ ଆଜି ଗଞ୍ଜି, ଛୁରୀ, ପର୍ସ ଓ ଚପଲ ଜବତ ହୋଇଛି ।

ନଦୀବନ୍ଧରୁ ମିଳିଛି ଅପହୃତ ଡେଲିଭରି ବଏଙ୍କ ଗଞ୍ଜି, ପର୍ସ ଆଉ ଚପଲ। ଅପହରଣ ହୋଇଥିବା ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ଧଉଳି ଥାନା ନୂଆ ଗାଁର ପତିତପାବନ ପୃଷ୍ଟି । ସେ ଫୁଡ଼ ଡେଲିଭରୀ ବୟ ଭାବେ କାମ କରନ୍ତି । ଗତକାଲି ରାତିରେ ଘରକୁ ଫେରୁଥିବା ସମୟରେ ସୁନ୍ଦରପଦା- ସାଂପୁର ରାସ୍ତାରୁ ପତିତପାବନଙ୍କୁ କିଛି ଯୁବକ ଅପହରଣ କରିଥିବା ସ୍ତ୍ରୀଙ୍କୁ ଭଏସ ରେକର୍ଡ଼ିଂ କରି ପଠାଇଥିଲେ । ପରେ ରାତି ୧୧ଟା ପରଠୁ ଫୋନ ସ୍ୱିଚ୍ଅଫ ଥିବା ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଅଭିଯୋଗ ପରେ ରାତି ସାରା ସ୍ଥାନୀୟ ଅଞ୍ଚଳରେ ଖୋଜିଥିଲା ଧଉଳି ଥାନା ପୋଲିସ । ଆଜି ସକାଳୁ ନୂଆଗାଁ ନଦୀ ପଠାରୁ ମିଳିଥିଲା ଛୁରୀ, ପର୍ସ, ସାର୍ଟ ଓ ଚପଲ । ହେଲେ ଅପହୃତଙ୍କ କୌଣସି ଟେର ମିଳିନି । ତେଣୁ ଟେକନିକାଲ ପ୍ରକ୍ରିୟାରେ ତଦନ୍ତ ଚାଲିଥିବା କହିଛନ୍ତି ଜୋନ୍ ଏସିପି । ପତିତପାବନଙ୍କ ପାଖରେ କୌଣସି ଟଙ୍କା ଥିବା କଥା ଅଭିଯୋଗ ହୋଇ ନଥିବା କହିଛନ୍ତି ଏସିପି ବିଷ୍ଣୁ ପାତ୍ର । ତେବେ କିଏ ଓ କାହିଁକି ଡେଲିଭରି ବଏଙ୍କୁ ଅପହରଣ କଲେ? ଯଦି ତାଙ୍କ ପାଖରେ ଟଙ୍କା ପଇସା ନଥିଲା ତେବେ କାହିଁକି ଅପହରଣ କରାଗଲା? ଅପହରଣ ପଛରେ କଣ କାରଣ ରହିଛି ତାକୁ ନେଇ ସନ୍ଦେହ ବଢୁଛି ।