ଦାବି ମୁତାବକ ଅର୍ଥ ପଇଠ କରିନପାରିଲା ପରେ କିଡ଼ନାପର୍ ଛାତ୍ରକୁ ପଚାରିଲା ତାର ଅନ୍ତିମ ଇଚ୍ଛା ଏବଂ ସେ ଇଚ୍ଛା ପୁରଣ କଲାପରେ ତାକୁ ଗଳାଚିପି ହତ୍ୟା କରିଥିଲା ।

ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଶ୍ଚିମବଙ୍ଗର ନଦୀୟା ଜିଲ୍ଲାରେ । ତିନିଜଣ ସହପାଠୀ ଅର୍ଥଲୋଭରେ ଜଣେ ସାଙ୍ଗକୁ ଅପହରଣ କରିଥିଲେ ଏବଂ ମୁଣ୍ଡଜାମିନ ପାଇଁ ତିନିଲକ୍ଷ ଟଙ୍କା ଦାବି କରିଥିଲେ । ଛାତ୍ରର ପରିବାର ଯେତେବେଳେ ଦାବି ମୁତାବକ ଅର୍ଥ ଦେବାରେ ଅକ୍ଷମ ହେଲେ ସେମାନେ ପିଲାର ଅନ୍ତିମ ଇଚ୍ଛା ପଚାରିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲାକି ଅପହର୍ତ୍ତାମାନେ ତା’ର ଅନ୍ତିମ ଇଚ୍ଛାକୁ ପୂରଣ ମଧ୍ୟ କରିଥିଲେ । ଅନ୍ତିମ ଇଚ୍ଛା ପୂରଣ କଲାପରେ ଅତ୍ୟନ୍ତ ନୃଶଂସ ଭାବେ ଗଳାଚିପି ତାକୁ ହତ୍ୟା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

ହତ୍ୟା ପୂର୍ବରୁ କୋଲ୍ଡଡ୍ରିଂକ୍ସ ଓ ରସଗୋଲା ଖାଇବାକୁ ଦେଇଥିଲେ

ରିପୋର୍ଟ ଅନୁସାରେ ଅପହରଣକର୍ତ୍ତା ମାନେ ମାରିବା ପୂର୍ବରୁ ତା’ର ଅନ୍ତିମ ଇଚ୍ଛା ପଚାରିଥିଲେ । ଅନ୍ତିମ ଇଚ୍ଛା ଶୁଣି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଛାତ୍ରଟି ସେମାନଙ୍କୁ କହିଥିଲା କି ମରିବା ପୂର୍ବରୁ ସେ କୋଲ୍ଡ ଡ୍ରିଂକ୍ସ ପିଇବା ଏବଂ ରସଗୋଲା ଖାଇବାକୁ ଚାହୁଁଛି । ଅପହରଣକର୍ତ୍ତା ମାନେ ତାକୁ କୋଲ୍ଡଡ୍ରିଂକ୍ସ ପିଇବାକୁ ଦେଇଥିଲେ ଓ ରସଗୋଲା ମଧ୍ୟ ଖାଇବାକୁ ଦେଇଥିଲେ । ତାପରେ ନୃଶଂସ ଭାବେ ତା’ର ଗଳାଚିପି ହତ୍ୟା କରିଥିଲେ ।

ଘଟଣାଟି ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ପିଲାଟିର ପରିବାରବର୍ଗ କୃଷ୍ଣନଗର ଥାନାରେ ତାର ନିଖୋଜ ମାମଲା  ଦାଖଲ କରିଥିଲେ । ପରିବାର କହିବା ଅନୁସାରେ ଗତ ଶୁକ୍ରବାର ଦିନ ପିଲାଟି ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା । ଘଟଣାର ଯାଞ୍ଚ କରି ପୋଲିସ ପିଲାର ତିନିଜଣ ସାଙ୍ଗକୁ ଗିରଫ କରିଥିଲା ।

ଗେମିଙ୍ଗ ଲାପଟପ ପାଇଁ କରିଥିଲେ ସାଙ୍ଗକୁ ଅପହରଣ

ପୋଲିସ ରିପୋର୍ଟ ଅନୁସାରେ ଗିରଫ ହୋଇଥିବା ଛାତ୍ରମାନେ ଗେମିଙ୍ଗ ଲାପଟପ କିଣିବା ପାଇଁ ସାଙ୍ଗକୁ ଅପହରଣ କରିଥିଲେ ଏବଂ ମୁଣ୍ଡଜମିନ ପାଇଁ ତିନିଲକ୍ଷ ତାଙ୍କ ଦାବି କରିଥିଲେ । ମୃତ ଛାତ୍ରର ପରିବାର ମୁଣ୍ଡଜାମିନ ଅର୍ଥ ଦେବାରେ ଅସମର୍ଥ ହେବାରୁ ସେମାନେ ତାକୁ ହତ୍ୟା କରି ଶବକୁ ବସ୍ତାରେ ବାନ୍ଧି ଏକ ନିକାଞ୍ଚନ ସ୍ଥାନରେ ଫୋପାଡି ଦେଇଥିଲେ । ହତ୍ୟା କରିବା ପୂର୍ବରୁ ସେମାନେ ପିଲାର ଶେଷ ଇଚ୍ଛା ମଧ୍ୟ ପୁରଣ କରିଥିଲେ ।