କନକ ବ୍ୟୁୁରୋ : ଉଦ୍ଧାର ହେଲେ ଅପହୃତ ବିଜେପି ନେତା । ବନ୍ଧୁକ ଦେଖାଇ ବିଜେପି ନେତାଙ୍କୁ ଅପହରଣ ଅଭିଯୋଗରେ ଲାଞ୍ଜିଗଡ ବିଧାୟକଙ୍କ ନାଁରେ ହୋଇଥିଲା ଏତଲା । ଉଦ୍ଧାର ପରେ ବିଧାୟକଙ୍କ ବିରୋଧରେ ବରଗଡ ଝାରବନ୍ଧ ବିଜେପି ମଣ୍ଡଳ ସଭାପତି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦିଲୀପଙ୍କୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଏବଂ ତାଙ୍କର କିଛି ସହଯୋଗୀ ଅପହରଣ କରିଥିବା ବିଜେପିର ଝାରବନ୍ଧ ମଣ୍ଡଳ ସଭାପତି ମିଲନ ପାଣ୍ଡେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ମିଲନଙ୍କ ଅଭିଯୋଗ ଅନୁସାରେ, ଦିଲୀପ ସୋମବାର ସଂଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଦଳୀୟ କାର୍ଯ୍ୟକ୍ରମ ସାରି ଘରକୁ ବାଇକ୍ରେ ଫେରୁଥିଲା ବେଳେ ଝାରବନ୍ଧର ସାନଦାଦର ଛକ ପାଖରେ କେତେକ ଦୁର୍ବୃତ୍ତ ହଠାତ୍ କଳା ଓ ଧଳା ରଂଗର ଦୁଇଟି ଇନୋଭାରେ ଆସି ତାଙ୍କୁ ଅଟକାଇଥିଲେ । କିଛି କଥାବାର୍ତ୍ତା ପୂର୍ବରୁ ସେମାନେ ବିଭିନ୍ନ ପିସ୍ତଲ ଦେଖାଇ ତାଙ୍କୁ କାର୍କୁ ଟେକି ନେଇ ପଳାଇଥିଲେ । ଏଥିରେ ବିଧାୟକ ଶ୍ରୀ ଦିଶାରୀଙ୍କ ସମେତ ତାଙ୍କ ସହଯୋଗୀମାନେ ଥିଲେ ବୋଲି ଥାନାରେ ଦାଖଲ ଲିଖିତ ଅଭିଯୋଗପତ୍ରରେ ଦର୍ଶାଯାଇଛି ।
ଅପହୃତ ଦିଲୀପଙ୍କ ମୋବାଇଲ୍ ସହ ଯୋଗାଯୋଗ କରାଯାଉଥିଲେ ହେଁ ତାହା ସମ୍ଭବ ହେଉନଥିବା ଅଭିଯୋଗକାରୀ ମିଲନ କହିଛନ୍ତି । ତେଣୁ ସେ ଏବେ କେଉଁଠାରେ ଓ କିପରି ଅବସ୍ଥାରେ ଅଛନ୍ତି ତାହା ଚିନ୍ତାର ବିଷୟ ହୋଇପଡ଼ିଛି। ଦିଲୀପଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେବା ସହ ଅଭିଯୁକ୍ତ ଅପହର୍ତ୍ତା ବିଧାୟକ ଶ୍ରୀ ଦିଶାରୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ବିଜେପି କର୍ମୀମାନେ ଦାବି କରିଛନ୍ତି ।