କନକ ବ୍ୟୁରୋ : କେନ୍ଦୁଝର ହରିଚନ୍ଦନପୁର ମନୋହରପୁର ହାଇସ୍କୁଲରେ ଦଶମରେ ପାଠ ପଢୁଥିବା ଅଗସ୍ତିଙ୍କ ମୋବାଇଲ ଫୋନ୍ ଖରାପ ହୋଇଯିବାରୁ ତାଙ୍କର ପ୍ରାଣ ଚାଲିଯାଇଛି । ପୂରା କାହାଣୀଟି କିଛି ଏହିଭଳି । ଅନଲାଇନ୍ କ୍ଲାସ୍ ପାଇଁ ଯେତେବେଳେ ମୋବାଇଲର ଆବଶ୍ୟକତା ପଡ଼ିଲା, ବାପା ମା ପୁଅ ପାଇଁ ଫୋନ୍ କିଣି ଦେଲେ । ଆଉ ଅଧିକାଂଶ ପିଲାଙ୍କ ଭଳି ପୁଅ ବି ମୋବାଇଲରେ ଅଭ୍ୟସ୍ତ ହୋଇଗଲା । ମୋବାଇଲରେ କ୍ଲାସ କଲା ଏବଂ ଗେମ୍ ବି ଖେଳିଲା । ଦିନରାତି ମୋବାଇଲ ପ୍ରତି ଆଶକ୍ତି ବଢ଼ିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଲା ।
ଦିନକୁ ଦିନ ପିଲାଟି ମୋବାଇଲ ପ୍ରତି ଅଧିକ ଆଶକ୍ତ ହେଉଥିଲା । ଗତ ୧୫ ଦିନ ତଳେ, ଅଗସ୍ତିର ମୋବାଇଲ ଭାଙ୍ଗି ଯାଇଥିଲା । ମୋବାଇଲ ଭାଂଗିଯିବା ପରେ ଅନଲାଇନ କ୍ଲାସ୍ ସଂଭବ ହୋଇନଥିଲା । ମୋବାଇଲରେ ଖେଳିବା ବି ସଂଭବ ହେଲାନାହିଁ । ଏହି ଘଟଣା ପରେ ଅଗସ୍ତିର ମନସ୍ତାପ ଆରମ୍ଭ ହୋଇଥିଲା । ନିଜ ମୋବାଇଲକୁ ଅତି ମାତ୍ରାରେ ଭଲ ପାଉଥିବା ୧୫ ବର୍ଷର ଏହି ପିଲା ଠିକରେ ଖିଆପିଆ କରୁନଥିଲା । ପରେ ଜ୍ୱର ଓ ବାନ୍ତି ହେଲା । ଅବସ୍ଥା ଖରାପ ହେବାରୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ପରେ କଟକ ହସ୍ପିଟାଲକୁ ଅଣାଯାଇଥିଲା । ଆଉ କଟକରେ ଚିକିତ୍ସାଧିନ ଅବସ୍ଥାରେ ଅଗସ୍ତି ଆଖି ବୁଜି ଦେଲା ।
ଏହି କାହାଣୀଟି ସବୁ ପିଲା ଓ ଅଭିଭାବକଙ୍କୁ ପ୍ରଭାବିତ କରୁଛି । ଏହି କାହାଣୀ ଣୁଣିଲା ପରେ ଆପଣ ବି ବ୍ୟସ୍ତ ହୋଇପଡୁଥିବେ ନିଶ୍ଚୟ । ଇତି ମଧ୍ୟରେ ପିଲାଙ୍କ ଅଧିକାର ପାଇଁ କାମ କରୁଥିବା ଏନ୍ସିପିସିଆର୍ ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି -
- ମାତ୍ର ୧୦ ପ୍ରତିଶତ ପିଲା ତାଙ୍କ ମୋବାଇଲ ଫୋନ୍କୁ ଅନଲାଇନ୍ କ୍ଲାସ ପାଇଁ ବ୍ୟବହାର କରୁଛନ୍ତି
- ୫୯ % ପିଲା ସ୍ମାର୍ଟ ଫୋନକୁ ହ୍ବାଟ୍ସଆପ୍, ଫେସବୁକ୍ ଆଦି ପାଇଁ ବ୍ୟବହାର କରୁଛନ୍ତି ଏବଂ ଗେମ୍ ମଧ୍ୟ ଖେଳୁଛନ୍ତି
- ପିଲାଙ୍କ ମୋବାଇଲ ଫୋନ୍ ବ୍ୟବହାର ଉପରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସରକାର ଏଭଳି ଏକ ନୀତି ଆଣନ୍ତୁ, ଯାହା ଫଳରେ ପିଲାମାନେ ଅଫଲାଇନ୍ ଓ ଅନଲାଇନ୍ ଗେମରୁ ସୁରକ୍ଷିତ ରହିପାରିବେ
- ଏ ସମ୍ପର୍କର ଏକ କମିଟି ଗଢ଼ିବା ସମ୍ପର୍କରେ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି
- ଅନଲାଇନ୍ ଗେମ୍ ପ୍ରତି ପିଲାଙ୍କ ଆକର୍ଷଣ ବଢ଼ୁଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ବ୍ୟବସ୍ଥା ରହିବା ଜରୁରୀ
- ଏହି ଗେମ୍ ପ୍ରତି ଆଶକ୍ତି ଯୋଗୁଁ ଅନେକ ମନସ୍ତାତ୍ୱିକ ସମସ୍ୟା ବଢୁଛି, ପିଲା ବିଶାଦଗ୍ରସ୍ତ ହେଉଛନ୍ତି, ଅପରାଧ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି
- ଏପରିକି ୧୦ ବର୍ଷରୁ କମ୍ ବୟସର ପିଲା ମଧ୍ୟ ମୋବାଇଲ ଗେମ୍ ପ୍ରତି ଆକର୍ଷିତ ହେଉଥିବା କୋର୍ଟ ହୃଦବୋଧ କରିଛନ୍ତି