ଯାଜପୁରରୁ ଥାଇଲାଣ୍ଡ ଯାତ୍ରା…ଆନ୍ତର୍ଜାତୀୟ କିକ୍ ବକ୍ସିଂ ପାଇଁ ଓଡିଆ ପୁଅ ପ୍ରୀତିରଂଜନ ମନୋନୀତ । ହେଲେ ପୁଅର ପ୍ରଶିକ୍ଷଣ ପାଇଁ ପାଖରେ ନାହିଁ ଅର୍ଥ , ଚିନ୍ତାରେ ପରିବାର ଲୋକେ

159

କନକ ବ୍ୟୁରୋ: ପିଲାଟି ବେଳୁ ଦେଖିଥିବା ସ୍ବପ୍ନକୁ ସାକାର କରି ଦେଖାଇଛନ୍ତି । ନିଜର ନିରନ୍ତର ଉଦ୍ୟମ ଫଳରେ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ସେ ଆଜି ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗନେବାକୁ ଯୋଗ୍ୟ ହୋଇଛନ୍ତି । ଆମେ କହୁଛୁ ଜାତୀୟ ସ୍ତରର କିକ୍ ବକ୍ସିଂ ଚମ୍ପିୟାନ ବ୍ୟାସନଗର ଅଞ୍ଚଳର ଛାତ୍ର ପ୍ରୀତିରଂଜନ ପାତ୍ରଙ୍କ କଥା । ସେ ଜଣେ ଗରିବ ଖଟିଖିଆ ପରିବାରର ଛାତ୍ର । ଏବେ ସେ ସରାଙ୍ଗ ଇନ୍ଦିରାଗାନ୍ଧୀ ଇଞ୍ଜିନିୟରିଂ ଇନିଷ୍ଟିଚ୍ୟୁଟର ସ୍ନାତକ ଛାତ୍ର । ବାପା ତାଙ୍କର ମୂଲମଜୁରୀ ଖଟି ତାଙ୍କୁ ପାଠପଢାଇବା ସହିତ ପୁଅର ଆଗ୍ରହ ପ୍ରତି ଯତ୍ନବାନ ମଧ୍ୟ ଅଛନ୍ତି । ଆସନ୍ତା ମାର୍ଚ୍ଚ ୭ ତାରିଖ ଥାଇଲାଣ୍ଡ ଦେଶର ପଟାୟା ଠାରେ ହେବାକୁ ଥିବା କିକ୍ ବକ୍ସିଂ ପ୍ରତିଯୋଗୀତାରେ ସେ ଭାଗ ନେବାକୁ ଚୟନ ହୋଇଛନ୍ତି । ପରିବାର ଓ ଗାଁଲୋକଙ୍କ ପକ୍ଷରୁ ତାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇଦେବାକୁ ଦାବି କରିଛନ୍ତି।

ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ପାଇକରାପୁର ଗାଁରେ ଏକ ଗରିବ ଖଟିଖିଆ ପରିବାରରେ ପ୍ରୀତିରଂଜନଙ୍କ ଜନ୍ମ । ବାପାଙ୍କ ନାମ ପ୍ରମୋଦ ପାତ୍ର ଓ ମାଆ ସରସ୍ବତୀ ପାତ୍ର । ବାପା ବହୁକଷ୍ଟ କରି ଏଣେ ତେଣେ ମୂଲମଜୁରୀ କରି ପୁଅକୁ ପାଠ ପଢାଉଛନ୍ତି । ପୁଅ ଏବେ ସରାଙ୍ଗ ଇନ୍ଦିରାଗାନ୍ଧୀ ଇଞ୍ଜିନିୟରିଂ ଇନିଷ୍ଟିଚ୍ୟୁଟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର । ତେବେ ପ୍ରୀତିରଂଜନ ନିଜର ପାଠପଢା ସହିତ କିକ୍ ବକ୍ସିଂ କରିବାକୁ ମନବଳାଇଥିଲେ । ଆଉ ପୁଅର ଏଭଳି ଇଚ୍ଛାକୁ ବାପାମାଆ ପ୍ରୋତ୍ସାହିତ କରିଥିଲେ ମଧ୍ୟ ହେଲେ ଅର୍ଥାଭାବରୁ ସେମାନେ ପ୍ରୀତିରଂଜନଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦେବାକୁ ଅସମର୍ଥ । ତେବେ ଟିଭିରେ ଏହା ଦେଖୁଦେଖୁ ପିଲାଟି ବେଳୁ ହିଁ ଏଥିପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । ନିକଟରେ ସେ ପଶ୍ଚିମବଙ୍ଗର ସିଲିଗୁଡିରେ ହୋଇଥିବା ଜାତୀୟ ସ୍ତରର ପ୍ରତିଯୋଗୀତାରେ ଚମ୍ପିୟାନ ହୋଇ ସ୍ବର୍ଣ୍ଣପଦକ ହାସଲ କରିଥିଲେ । ଏବେ ସେ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଚୟନ ହୋଇଛନ୍ତି । ଯାହାକୁ ନେଇ ପରିବାରରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ।

ଆସନ୍ତା ମାର୍ଚ୍ଚ ୭ତାରିଖ ଥାଇଲାଣ୍ଡର ପଟାୟା ଠାରେ ଆୟୋଜିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କିକ୍ ବକ୍ସିଂ ଚମ୍ପିୟାନସିପ୍ । ଯେଉଁଥିରେ ପ୍ରୀତିରଂଜନ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରତିଯୋଗୀତାରେ ଚମ୍ପିୟାନ ହୋଇ ଗାଁ ଏବଂ ଦେଶର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରୀତିରଂଜନ । ଏଥିପାଇଁ ପାଠପଢା ସହିତ ସେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ସେପଟେ ପରିବାରର ଆର୍ଥିକ ସମ୍ବଳ ନଥିବାରୁ ସେ ନିଜ ପ୍ରତିଭାର ବିକଶିତ କରିବାରେ ଅନେକ ସମୟରେ ପ୍ରତିବନ୍ଧକ ମାନ ସୃଷ୍ଟି ହୋଇଛି । ବାପା ମଧ୍ୟ ତାଙ୍କୁ ସହାୟତା ଯୋଗାଇବାରେ ନିରୂପାୟ ହୋଇପଡୁଛନ୍ତି । ଏଣୁ ପ୍ରୀତିରଂଜନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଅନେକ ବାଟ ଆଗକୁ ଯାଇପାରନ୍ତେ ବୋଲି ଗ୍ରାମବାସୀ ଓ ପରିବାର ଲୋକେ କହିଛନ୍ତି । ପ୍ରୀତିରଂଜନ କିନ୍ତୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଜାରି ରଖିଛନ୍ତି ଉଦ୍ୟମ ।

ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ନିଶ୍ଚିତ ରୂପେ ସେ ସଫଳତା ଅର୍ଜ୍ଜନ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ନିଜର ଅଧ୍ୟବସାୟ ସହିତ ସେ ଜାରି ରଖିଛନ୍ତି ଉଦ୍ୟମ । ସରକାରୀ ପ୍ରୋତ୍ସାହନ ମିଳିଲେ ସେ ନିଷ୍ଟିତରୂପେ ଆଗକୁ ଯାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି ।