କନକ ବ୍ୟୁରୋ : ସୁଆଦିଆ କେକ୍.. ଖାଇବାକୁ କାହାକୁ ବା ଭଲ ନଲାଗେ । ତେଣୁ ବାହାଘର ହେଉ କିମ୍ବା ଆନିଭର୍ସରୀ, ଜନ୍ମଦିନ ହେଉ କିମ୍ବା ଏନଗେଜମେଂଟ ସବୁ ଫଙ୍କସନ୍ରେ ସମସ୍ତଙ୍କର ପ୍ରଥମ ଆବଶ୍ୟକତା ପାଲଟିଛି କେକ୍ । ତେଣୁ ଲୋକଙ୍କ ଚାହିଦା ଓ ବ୍ୟବସାୟକୁ ନଜରରେ ରଖି ଏବେ ଏହି ବ୍ୟବସାୟକୁ ଅନେକ ଆପଣାଉଛନ୍ତି । ତେବେ ରାୟଗଡ଼ାର ଖୁସି ଜେସବାନି ନାମକ ଜଣେ ମହିଳା ନିଜେ କେକ୍ ପ୍ରସ୍ତୁତ କରିବା ସହ ଅନ୍ୟ ମହିଳା ମାନଙ୍କୁ କେକ୍ ପ୍ରସ୍ତୁତିର ପ୍ରଶିକ୍ଷଣ ଦେଉଛନ୍ତି । ବିଭିନ୍ନ ପ୍ରକାରର ଓ ଭିନ୍ନ ଭିନ୍ନ ଫ୍ଲେଭରର କେକ୍ ପ୍ରସ୍ତୁତ କରୁଛନ୍ତି ଏକାଧିକ ମହିଳା । କେକ୍ ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ଖୁସି ୟୁଟ୍ୟୁବରୁ ଏହି କେକ୍ ପ୍ରସ୍ତୁତି ପ୍ରଣାଳି ଜାଣିବା ପରେ ନିଜେ କରିବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ସଫଳ ହେବାରୁ ନିଜ ଘରେ ଏହାକୁ ପ୍ରସ୍ତୁତ କରି ଅର୍ଡର ମୁତାବିକ ବିକ୍ରି କରୁଛନ୍ତି ।
୩ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଖୁସିଙ୍କୁ ଏବେ ନୂଆ ପରିଚୟ ଦେଇଛି । କେବଳ ରାୟଗଡା ଜିଲ୍ଲା ନୁହେଁ ଅନ୍ୟ ଜିଲ୍ଲାରୁ ମଧ୍ୟ ତାଙ୍କୁ ଅର୍ଡର ମିଳୁଛି । କେବଳ ସେତିକି ନୁହେଁ ଏହି କେକ୍ ତିଆରି କରିବାର କୌଶଳ ମଧ୍ୟ ଅନ୍ୟ ମହିଳାଙ୍କୁ ପ୍ରଦାନ କରୁଛନ୍ତି ଖୁସି । ବର୍ତମାନ ସୁଦ୍ଧା ପାଖାପାଖୀ ୧୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ସେ ପ୍ରଶିକ୍ଷଣ ଦେଇସାରିଲେଣି । ପ୍ରଶିକ୍ଷଣ ପାଇଥିବା ମହିଳା ମାନେ ମଧ୍ୟ ଏହାକୁ କାମରେ ଲଗାଇ ବେଶ୍ ଖୁସି ଅଛନ୍ତି ।
କପ୍ କେକ୍ସ, ପେଟ୍ରିସ୍, ଷ୍ଟ୍ରବେରୀ, ରେଡ୍ ଭେଲ୍ବେଟ୍ ସହ ରସମଲାଇ କେକ୍ର ଚାହିଦା ରହିଛି । ଏହାକୁ ପ୍ରସ୍ତୁତ କରି ସେ ବିକ୍ରି କରୁଛନ୍ତି । ଏହି ବ୍ୟବସାୟକୁ ଆପଣାଇ ସେ ମାସିକ ୨୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।