ଖୋର୍ଦ୍ଧାର ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ଚମ୍ପେଇଲର ଦୁଃଖ: ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ୨୯ ଜଣ; ଏବେ କେବଳ ମାନପତ୍ରରେ ଅଟକି ଯାଇଛି ସଂଗ୍ରାମୀଙ୍କ ସ୍ମାରକ

ସ୍ମୃତି ରକ୍ଷା ପାଇଁ ନିବେଦନ

57

କନକ ବ୍ୟୁରୋ: ଦେଶକୁ ସ୍ୱାଧୀନ କରିବା ପାଇଁ ଦିନେ ଯେଉଁମାନେ ଲଢେଇ କରିଥିଲେ ବ୍ରିଟିଶ ବିରୋଧରେ । ଆଜି ସେମାନଙ୍କ ସ୍ମତି ଖଣ୍ଡିଏ ନାହିଁ ଗାଁ ଭିତରେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ସଂଗ୍ରାମରେ ଝାସ ଦେଇଥିଲେ ଖୋର୍ଧା ଜିଲ୍ଲାର ଚମ୍ପାଇଲ ଗାଁର ୨୯ ଜଣ ସଂଗ୍ରାମୀ । ମାନପତ୍ରକୁ ବାଦ ଦେଲେ ଏବେ ସ୍ମୃତି କହିଲେ କିଛି ବି ନାହିଁ ।

ଖୋର୍ଧା ବଲାଙ୍ଗିର ୫୭ ନଂବର ଜାତୀୟ ରାଜପଥ ପିଚୁକୁଳି ଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ପଡିଥାଏ ଚମ୍ପାଇଲ ଗାଁ । ଖୋର୍ଧା ଜିଲ୍ଲାର ବୋଲଗଡ ବ୍ଲକର ଏହି ଗାଁ , ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ପରିଚିତ । ଗାଁର ୨୦ ରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ଡାକରାରେ ସାମିଲ ହୋଇଥିଲେ ଆଜାଦ ହିନ୍ଦ ଫୌଜରେ । ଆଜି ଏହି ସଂଗ୍ରାମୀଙ୍କ ସ୍ମୃତି ହଜିଯିବାକୁ ବସିଲାଣି ।

ଖୋର୍ଧା ଜିଲ୍ଲାର ପ୍ରଥମ ରାଜବନ୍ଦୀ ହେଉଛନ୍ତି ବିଶ୍ୱନାଥ ସାମନ୍ତ । ଗାନ୍ଧିଙ୍କ ଡାକରାରେ ସାମିଲ ହୋଇଥିଲେ ଲବଣ ସତ୍ୟାଗ୍ରହରେ । ଇଂରେଜ ବିରୋଧରେ ଲଢେଇର ସ୍ୱାକ୍ଷର ବି ରହିଛି ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ନିକଟରେ । ସ୍ୱାଧୀନତା ପରେ ରାଜ୍ୟ ସରକାର ଏମାନଙ୍କୁ ପ୍ରଦାନ କରିଛନ୍ତି ସ୍ୱାଧୀନତା ସଂଗ୍ରାମୀର ସ୍ୱାକ୍ଷର । କିନ୍ତୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ସରକାରୀ ସ୍ତରରେ କୌଣସି ସହଯୋଗ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।