କନକ ବ୍ୟୁରୋ: ଖୋର୍ଦ୍ଧା ଡାକ୍ତର ମାନସ ଦାସ ଗୁଳିକାଣ୍ଡ ମାମଲାକୁ ବିତିଲାଣି ୧୯ ଦିନ । ହେଲେ ଏବେ ବି ଅଭିଯୁକ୍ତ ପାଖରେ ପହଁଚି ପାରିନି ପୋଲିସ୍ । ତେଣୁ ଅଭିଯୁକ୍ତକୁ ଧରିବା ପାଇଁ ଆଜି ସ୍କେଚ୍ ଜାରି କରିଛି ଖୋର୍ଦ୍ଧା ପୋଲିସ୍ । ସିସିଟିଭି ଫୁଟେଜକୁ ଆଧାର କରି ସ୍କେଚ୍ ଜାରି କରିଛି ପୋଲିସ୍ । ଯିଏ ସନ୍ଦିଗ୍ଧଙ୍କୁ ଧରାଇଦେବେ ନାମ ଗୋପନ ରଖି ଉପଯୁକ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ।
ଗତ ଡିସେମ୍ବର ମାସ ୧୫ ତାରିଖ ସନ୍ଧ୍ୟାରେ ଦୁବୃତ ଜଣଙ୍କ ଏକ ମଙ୍କିକ୍ୟାପ ପିନ୍ଧି ମାନସ ଦାସଙ୍କ ଚ୍ୟାମ୍ବରରେ ପଶି ଗୁଳିମାଡ କରିଥିଲା । ଗୁଳିମାଡରେ ଡାକ୍ତର ଗୁରୁତର ହୋଇଥିବାବେଳେ ନିକଟରେ ଔଷଧ ଦୋକାନ କରିଥିବା କୁଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା । ତେବେ କିଏ ଓ କାହିଁକି ହତ୍ୟା କରିଥିଲା ତାର ଟେର ପାଇନଥିଲା ପୋଲିସ୍ । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି ଖୋର୍ଦ୍ଧା ପୋଲିସ୍ ।