ବିଜେଡିରୁ ଖୁଡି, କଂଗ୍ରେସରୁ ପୁତୁରା । ରୋଚକ ହେବାକୁ ଯାଉଛି ନବରଙ୍ଗପୁର ଲଢେଇ ।

437

କନକ ବ୍ୟୁରୋ: ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ । ନବରଙ୍ଗପୁର ନିର୍ବାଚନ ମଇଦାନରେ ସାମ୍ନାସାମ୍ନା ହୋଇଛନ୍ତି ଖୁଡ଼ି ପୁତୁରା । ଖୁଡ଼ି କୋଶଲ୍ୟା ପ୍ରଧାନୀ ନବରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ପୁତୁରା ଦିଲ୍ଲୀପ ପ୍ରଧାନୀ ହୋଇଛନ୍ତି ନବରଙ୍ଗପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ । ତେବେ ନିର୍ବାଚନୀ ମଇଦାନକୁ ଓହ୍ଳାଇଛନ୍ତି ପ୍ରଧାନୀ ପରିବାର ନଅ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଖଗପତି ପ୍ରଧାନୀଙ୍କ ପରିବାର । ଗତ ନିର୍ବାଚନରେ ସ୍ୱର୍ଗତ ଖଗପତି ପ୍ରଧାନୀଙ୍କ ନାତି ସଦାଶିବ ପ୍ରଧାନୀ ବିଜେଡ଼ିରେ ସାମିଲ ହୋଇ ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନରେ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ବିଜୁ ଜନତା ଦଳର ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ତାଙ୍କ ପରିବାରର ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ଦଳରୁ ଟିକେଟ ପାଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଖୁଡ଼ି କୌଶଲ୍ୟା ଓ ପୁତୁରା ଦିଲ୍ଲୀପ ଭିନ୍ନ ଭିନ୍ନ ଦଳରୁ ଟିକେଟ ପାଇ ନିର୍ବାଚନ ମଇଦାନରେ ରହିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପାରିବାରିକ ସମ୍ପର୍କରେ କୌଣସି ସମସ୍ୟା ହେବ ନାହିଁ । ଦୁଇ ଦଳର ନୀତି ଆଦର୍ଶରେ ସେମାନେ ନିର୍ବାଚନ ଲଢ଼ିବେ । ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଏହିଭଳି ଗୋଟିଏ ପରିବାରର ଦୁଇ ଜଣ ଭିନ୍ନଭିନ୍ନ ଦଳରୁ ନିର୍ବାଚନ ଲଢ଼ିବା ଦେଖିବାକୁ ମିଳିଛି ।