ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍-୩୦ : କଂଗ୍ରେସରୁ ପ୍ରତିମା, ବିଜେପିରୁ ସସ୍ମିତା; ସେପଟେ, ବାସନ୍ତୀ ପାତ୍ରଙ୍କୁ ନେଇ ବିଜେଡିରେ ଚର୍ଚ୍ଚା

150

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ପରିଷଦର ୩୦ନମ୍ବର ଜୋନ୍‌କୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଅଙ୍କକଷା ଜାରି ରହିଛି । କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ, ତାହାକୁ ନେଇ ଆଜି ଦିନତମାମ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଛି । ବିଜେଡିରୁ ଏକାଧିକ ଆଶାୟୀ ରହିଥିବାରୁ ଦଳ ଏପର୍ଯ୍ୟନ୍ତ କାହା‌ ପ୍ରାର୍ଥିତ୍ବରେ ମୋହର ଲଗାଇ ପାରିନାହିଁ । ଯେତେବେଳେ କି କଂଗ୍ରେସ ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ କରିଛି। ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ଶେଷ କରିଛି । ଦଳ ଏଠାରେ ସସ୍ମିତା ପତିଙ୍କୁ ପ୍ରାର୍ଥୀ କରିବ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ।

ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନି। ତେବେ ବର୍ତମାନର ଜିଲ୍ଲା ପରିଷଦ ସଦସ୍ୟ ଥିବା କୁନାଲ ରାଉତ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ ନାହିଁ କିମ୍ବା ତାଙ୍କ ପରିବାର କେହି ସଦସ୍ୟ ପ୍ରାର୍ଥୀ ହେବେନି ବୋଲି ସେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି । ତେଣୁ ତାଙ୍କୁ ବାଦ୍ ଦେଇ ଦଳ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛି। ନାଁ ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ତିନିଜଣଙ୍କୁ ନେଇ ଦଳ ଏବେ ବିଚାର ଆଲୋଚନା କରୁଛି । ଏଥି‌ରେ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ରଙ୍କ ପତ୍ନୀ ବାସନ୍ତୀ ପାତ୍ରଙ୍କ ନାମ ସବୁଠାରେ ଆଗରେ ରହିଛି । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଶ୍ରୀମତୀ ପାତ୍ର ଜିଲ୍ଲା ପରିଷଦ ସଦସ୍ୟ ରହିସାରିଛନ୍ତି । ତେଣୁ ଏଥର ମଧ୍ୟ ଦଳ ତାଙ୍କ ନାଁରେ ମୋହର ଲଗାଇପାରେ। ସେହିପରି ଦାଢ଼ା ପଞ୍ଚାୟତର ବିଜେଡି ନେତା ନିର୍ମଳ ରାଉତଙ୍କ ପତ୍ନୀ, ବରିମୁଣ୍ଡ ପଞ୍ଚାୟତର ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ପତ୍ନୀଙ୍କ ନାଁକୁ ନେଇ ଦଳ ମାନସମନ୍ଥନ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଜିଲ୍ଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏଠାରେ କଳାଝରୀର ପ୍ରତିମା ମହାନ୍ତି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିନ୍ତ ହୋଇଛି । ଉତ୍ତର ଭୁବନେଶ୍ବର ଦାୟିତ୍ବରେ ଥିବା ଭୁବନେଶ୍ବର ବ୍ଲକ-୨ ସଭାପତି ଅଶୋକ ଦାସଙ୍କ ପଟିଆସ୍ଥିତ ବାସଭବନରେ ବସିଥିବା ବୈଠକରେ ଖଇରାପଡ଼ାର ମିନତୀ ସେଠୀ, ଓସ୍ତପଡ଼ାର ବନିତା ପୃଷ୍ଟି, କଳାଝରୀର ପ୍ରତିମା ମହାନ୍ତିଙ୍କ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିଲା । ବ୍ୟାପକ ବିଚାରବିମର୍ଶ ପରେ ପ୍ରତିମା ମହାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର ହୋଇଛି ।