ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା : ମୁହଁ ଖୋଲିଲେ ରବି ସେଠୀ; ଅଜାଣତରେ ମୋ ନାଁରେ କିଣାଯାଇଛି ଜମି, କିଣିବା ସମୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କରିଥିଲି ମନା

393

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ମୁହଁ ଖୋଲିଛନ୍ତି ଡ୍ରାଇଭର ରବି ସେଠୀ । ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାଁରେ ବେଆଇନ୍ ଭାବେ ସାରୁଅ ଜମି କିଣିଛି । ରବି ସେଠୀଙ୍କ ନାଁରେ ଜମି କିଣିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କହିବା ସମୟରେ ସେ ମନା କରିଥିଲେ । ହେଲେ କର୍ତ୍ତୃପକ୍ଷ ତାଙ୍କ ଚାକିରି ଛଡେଇ ନେବାର ଧମକ ଦେଇ ଜମି କିଣିଛନ୍ତି ।

ଚାକିରି ଚାଲି ଯିବା ଭୟରେ କମ୍ପାନୀ କର୍ତ୍ତୃପକ୍ଷ ଯେଉଁଠି କହିଲେ ସେଇଠି ସେ ଦସ୍ତଖତ କରିଥିଲେ । ବେଆଇନ୍ ଜମି କିଣିବା ନେଇ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଥିଲେ । ରବି ସେଠୀ ଓରଟେଲର ୨୦୦୦ ମସିହାରୁ ୨୦୧୭ ଯାଏଁ ଡ୍ରାଇଭର ଭାବେ କାମ କରୁଥିଲେ । ସେ ଜଣେ ଅନୁସୂଚିତ ଜାତିର ବ୍ୟକ୍ତି ହୋଇଥିବାରୁ ତାଙ୍କ ନାଁରେ ଜମି କିଣିବାକୁ ବାଧ୍ୟ କରିଥିଲେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର କର୍ତ୍ତୃପକ୍ଷ ।

ଯେହେତୁ ସାରୁଅ ଜମି ଅନୂସୁଚିତ ଜାତିର ଲୋକଙ୍କର ତେଣୁ ତାଙ୍କ ନାଁରେ କିଣି ଯାଇଛି । ଏହାସହ ପୁରୀ ଜିଲ୍ଲାରେ ମଧ୍ୟ ତାଙ୍କ ନାଁରେ କମ୍ପାନୀ ଜମି କିଣିଥିବା ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇଛନ୍ତି ରବି ସେଠୀ । ପୁରୀରେ ଜମି କିଣିବା ବାବଦରେ ତାଙ୍କୁ ଜଣା ନାହିଁ । ଏବଂ ରବି ସେଠୀଙ୍କୁ ବେଆଇନ୍ ଭାବେ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।