ସ୍କୁଟିକୁ ଧକ୍କା ଦେଲା ଟ୍ୟାଙ୍କର : ୫ବର୍ଷ ପୁଅର ମୃତ୍ୟୁ, ମା’ ଗୁରୁତର ଆହତ; ଗାଁ ଲୋକଙ୍କ ରାସ୍ତାରୋକ

727

କନକ ବ୍ୟୁରୋ : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ଭାଲିଆବାଡ଼ି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ୟାଙ୍କର ଓ ସ୍କୁଟି ଧକ୍କାରେ ଜଣେ ୫ ବର୍ଷିୟ ପୁଅର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସ୍କୁଟିରେ ପୁଅକୁ ସ୍କୁଲରୁ ଘରକୁ ଆଣୁଥିଲେ ଗାନ୍ଧୀ ପଡ଼ିଆ ଅଞ୍ଚଳର ବୈଜୟନ୍ତୀ ଦାସ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ୟାଙ୍କର ସ୍କୁଟିକୁ ଧକ୍କା ଦେଇଥିଲା । ବୈଜୟନ୍ତୀ କିଛି ଦୂରରେ ଛିଟିକି ପଡ଼ିଥିବା ବେଳେ ପୁଅର ପେଟ ଉପରେ ଟ୍ୟାଙ୍କରଟି ଚଢ଼ିଯାଇଥିଲା ।

ଘଟଣାସ୍ଥଳରେ ୫ ବର୍ଷିୟ ପୁଅ ବିନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଲୋକେ । ନାବାଳକ ମୃତଦେକୁ ଜବତ କରି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଛକରେ ହମସ୍ ନିର୍ମାଣ ଦାବି କରି ଗାଁ ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ରାଜପଥର ଉଭୟପଟେ ଯାନବାହାନ ଚଳାଚଳ ବନ୍ଦ ରହିଛି ।