ଜଗନ୍ନାଥଙ୍କ ସେବାରେ ରାଜକିଶୋରଙ୍କ ପରିବାର : ୧୯ ବର୍ଷ ହେଲା ଯୋଗାଇ ଆସୁଛନ୍ତି ଶୋଲଫୁଲ

82

କନକ ବ୍ୟୁରୋ : ଜଗନ୍ନାଥଙ୍କ ସେବାରେ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୧୯ ବର୍ଷ ହେଲା ଶୋଲଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର । ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ଅକ୍ଷୟ ତୃତୀୟା ଠାରୁ ନିଷ୍ଠାର ସହ ଶୋଲଫୁଲ ତିଆରିରେ ଲାଗିପଡ଼ନ୍ତି । ତିନି ରଥରେ ଏହି ଶୋଲଫୁଲ ଖଞ୍ଜା ଯାଇଥାଏ ।

ଫୁଲ ପ୍ରସ୍ତୁତି ପାଇଁ ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ଗୋପ ଓ କଣାସ ଅଞ୍ଚଳରୁ କାର୍ତ୍ତିକ ମାସରୁ ସୋଲ ସଂଗ୍ରହ କରନ୍ତି ରାଜକିଶୋରଙ୍କ ପରିବାର । ସେଗୁଡ଼ିକୁ ଖରା କାକରରେ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ପ୍ରସ୍ତୁତ କରନ୍ତି । ପରିବାର ସଦସ୍ୟ ସମସ୍ତେ ନୂଆ ଲୁଗା ପିନ୍ଧି ନିଷ୍ଠାର ସହ ଏହି କାମ କରନ୍ତି । ଏଥିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ହୋଇନଥାଏ । ଚୁମୁକି ଓ ମିନା ବ୍ୟବହାର କରି ଫୁଲ ଗୁଡ଼ିକୁ ଅଧିକ ଆକର୍ଷଣୀୟ କରି ଥାଆନ୍ତି ଏହି କାରିଗରମାନେ ।