କନକ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ମାମଲାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ଓରଫ ସଂଜୁକୁ ଗିରଫ କରିଛି । ଏହା ସହ ସଞ୍ଜୟ ନିକଟରେ ଥିବା ୫ଟି ଗାଡ଼ି, ଚାରିଟି ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ଗତ ୫-୬ ଦିନ ଧରି ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ୫ଜଣ ଘନିଷ୍ଠ ସହଯୋଗୀଙ୍କୁ ଆଣି ପଚରାଉଚୁରା କରୁଥିଲା ।

Advertisment

ସୂଚନା ଆଧାରରେ ଦୁଇ ଦିନ ପୂର୍ବେ ସଞ୍ଜୟ ଧରାପଡ଼ିଥିଲା । ତେବେ ଆଜି ପୁଲିସ ସଞ୍ଜୟର ଗିରଫଦାରିକୁ ସାର୍ବଜନୀନ କରିଛି । ଆଜି ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୮ ଜୁନ୍ ୨୦୨୩ରେ ସୋମନାଥଙ୍କ ମା’ ଭାନୁମତି ଭୂଜବଳ ଲିଖିତ ଅଭିଯୋଗ କରିଥିଲେ । ସୋମନାଥଙ୍କ ମୃତ୍ୟୁ ପରେ ଏଥିରେ ଅତିରିକ୍ତ ୩୦୨ ଦଫା ଯୋଡ଼ାଯାଇଥିଲା ।

ଏ ନେଇ ଏସଡିପିଓ ଦିଲିପ କୁମାର ଦାସଙ୍କ ନେତୃତ୍ୱରେ ତିନିଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ବର୍ତମାନ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ହତ୍ୟା ପଛରେ ସୋମନାଥ ଓ ସଞ୍ଜୟର ପୂର୍ବ ଶତ୍ରୁତା ମୁଖ୍ୟ କାରଣ ଅଟେ । ସୋମନାଥ ବ୍ରାଉନସୁଗାର କାରବାରରେ ଗିରଫ ହୋଇ ଜାମିନରେ ଫେରିବା ପରେ ମାଛ ବ୍ୟବସାୟ କରୁଥିଲା ।

ଏହି ସମୟରେ ସଞ୍ଜୟ ମଧ୍ୟ ୯ ମାସ ପୂର୍ବେ ଜେଲରୁ ଫେରି ନିଜର ପ୍ରତିଶୋଧ ସୁଝାଇବାକୁ ଯୋଜନା କରିଥିଲା । ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ଼, ପୁରୀର ନିଜର ଅପରାଧିକ ବନ୍ଧୁଙ୍କ ସହ ମିଶି ୬ ଜୁନରେ ଯୋଜନା କରିଥିଲା । ୭ ଜୁନରେ ଏକ ଚୋରା ବୋଲେରୋ ପିକ୍ଅପ୍ ଭ୍ୟାନ ଯୋଗାଡ଼ କରିଥିଲେ । ୭ ଜୁନରେ ସୋମନାଥକୁ ଗୁଳି କରିଥିଲେ ।