ବିକାଶ ତେବେ ଏମିତି ହୁଏ ? ୩ ବର୍ଷ ମଧ୍ୟରେ ୩୦ ଶିଳ୍ପାନୁଷ୍ଠାନ ହେଲାଣି ବନ୍ଦ

383

କନକ ବ୍ୟୁରୋ : ଦେଶ ବିଦେଶରୁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରି ରାଜ୍ୟର ବୃହତ ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି। ପୁଞ୍ଜିନିବେଶକୁ ସହଜ କରିବାକୁ ଜମି ଅଧିଗ୍ରହଣ ଓ ଋଣ ପ୍ରଦାନ ପ୍ରକ୍ରିୟାକୁ ସହଜ କରିଛନ୍ତି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଗତ ୨ ବର୍ଷ ମଧ୍ୟରେ ଶିଳ୍ପାଞ୍ଚଳ ସଂଖ୍ୟା ୧୬ରୁ ୧୯କୁ ବୃଦ୍ଧି ପାଇଥିବା ବେଳେ କେବଳ ଖୋର୍ଦ୍ଧା ସବ୍‌ଡିଭିଜନରେ ପ୍ରାୟ ୩୨ଟି ଶିଳ୍ପାନୁଷ୍ଠାନ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଯାଇଛି। ୨୦୧୬–୧୭ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲ୍ଲାରେ ପଞ୍ଜୀକୃତ ମୋଟ ୧୧ଟି ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ରହିଥିଲା। ୨୦୧୮–୧୯ ବେଳକୁ ଏହା ବୃଦ୍ଧି ପାଇ ୭୫କୁ ପହଞ୍ଚିଛି। ଏହା ସହ ଶିଳ୍ପାଞ୍ଚଳ ସଂଖ୍ୟା ମଧ୍ୟ ୧୬ରୁ ୧୯କୁ ବୃଦ୍ଧି ପାଇଛି।

କିନ୍ତୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ଓ ସମୟ ପୂର୍ବରୁ ବନ୍ଦ ହୋଇଯାଇଥିବା ଶିଳ୍ପର ପରିସଂଖ୍ୟାନକୁ ଆକଳନ କଲେ ଗତ ୩ ବର୍ଷର କେବଳ ଖୋର୍ଦ୍ଧା ସବ୍‌ଡିଭିଜନ ଅଧୀନରେ ଥିବା ୮ଟି ଶିଳ୍ପାଞ୍ଚଳ ରେ ୩୨ଟି ବୃହତ୍ ଓ ମଧ୍ୟମ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ୧୯ଟି ଶିଳ୍ପାଞ୍ଚଳ ରହିଛି। ଭୁବନେଶ୍ବର ସବ୍‌ଡିଭିଜନରେ ଥିବା ୧୧ଟି ଶିଳ୍ପାଞ୍ଚଳ ଓ ଖୋର୍ଦ୍ଧା ସବ୍‌ଡିଭିଜନ ଅଧୀନରେ ୮ଟି ଶିଳ୍ପାଞ୍ଚଳ ରହିଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ଥିବା ୮ଟି ଶିଳ୍ପାଞ୍ଚଳରେ ୨୯୨ ଶିଳ୍ପାନୁଷ୍ଠାନକୁ ୫୧୮.୫୨୨ ଏକର ଜମି ଇଡ୍‌କୋ ପକ୍ଷରୁ ପାଇଁ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କରେ ୩୫ଟି ସେଡ୍ ଖାଲି ପଡ଼ିଥିବା ବେଳେ ଆଇଆଇଡି କେନ୍ଦ୍ର ଖୋର୍ଦ୍ଧାରେ ୧୩ଟି, ସାରୁଅ ଶିଳ୍ପାଞ୍ଚଳରେ ୭ଟି, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୨ଟି ସେଡ୍ ଖାଲି ପଡ଼ିଛି।

ସେହିଭଳି ୨୦୧୭–୧୮ ଆର୍ଥିକ ବର୍ଷ ସୁଦ୍ଧା ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କରେ ୫ଟି ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଥିବା ବେଳେ ଆଇଆଇଡିରେ ୧୬ଟି, ଜେମାଦେଈରେ ଗୋଟିଏ, ଖୋଲାଦ୍ବାରରେ ୨ଟି, ସାରୁଅରେ ୪ଟି, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୪ଟି ଓ ଡେରାସ୍‌ ସମୁଦ୍ର ଖାଦ୍ୟ ପାର୍କରେ ଗୋଟିଏ ଶିଳ୍ପାନୁଷ୍ଠାନ ଏଭଳି ମୋଟ ୩୨ଟି ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଛି।

ଗତ ୧୦ ବର୍ଷ ମଧ୍ୟରେ ଜିଲ୍ଲାରେ ମୋଟ ୯୯୧୩ଟି କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପାନୁଷ୍ଠାନ ସ୍ଥାପିତ ହୋଇଥିବା ବେଳେ ଏଥିରେ ୮୦,୯୭୨.୦୨ ଲକ୍ଷ ଟଙ୍କା ପୁଞ୍ଜିନିବେଶ ଓ ୪୨, ୧୬୪ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ମଧ୍ୟରୁ କେବଳ ୭୫ଟି ବୃହତ୍ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ଥିବା ବେଳେ ଏଥିରେ କେବଳ ୨୯,୪୦୫୯ଲକ୍ଷ ଟଙ୍କା ପୁଞ୍ଜିନିବେଶ ଓ ୮୨୬୪ଜଣଙ୍କୁ ନିଯୁକ୍ତି ମିଳିଛି। ଶନିବାର ସରକାର ମୋଟ ଶିଳ୍ପାଞ୍ଚଳ ସଂଖ୍ୟା ୧୯ରୁ ୨୨କୁ ବୃଦ୍ଧି କରିଛନ୍ତି। ଖୋର୍ଦ୍ଧାର ଜୟମଙ୍ଗଳ, ଅଁଳାପାଟଣା, ଭଗବାନପୁରଠାରେ ନୂତନ ଭାବେ ତିନିଟି ଶିଳ୍ପାଞ୍ଚଳ ସ୍ଥାପନ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି। ଯଦିଓ କିଛି ସ୍ଥାନରେ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି, କିନ୍ତୁ ଶିଳ୍ପାଞ୍ଚଳରେ ସ୍ଥାପିତ ପ୍ରତିଷ୍ଠାନଗୁଡ଼ିକର ବାସ୍ତବ ସ୍ଥିତିରୁ ସରକାରଙ୍କ ଶିଳ୍ପ ବିକାଶ ଯୋଜନାରେ ଥିବା ଅନେକ ତ୍ରୁଟିବିଚ୍ୟୁତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।