କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା : ସକ୍ରିୟ ରୋଗୀଙ୍କ ତୁଳନାରେ ସାଢ଼େ ୩ଗୁଣା ରୋଗୀ ସୁସ୍ଥ ; ସେପଟେ ଗଞ୍ଜାମରେ ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି

96

କନକ ବ୍ୟୁରୋ : କରୋନା ସଂକ୍ରମଣରେ ସବୁ ଜିଲ୍ଲାକୁ ପଛରେ ପକାଇ ଦେଇଛି ଖୋର୍ଧା। ଗତ ୨୪ଘଣ୍ଟାରେ ଖୋର୍ଧାରେ ୭୨୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ପୂର୍ବରୁ ସଂକ୍ରମଣ ତାଲିକାରେ ଆଗରେ ଥିବା ଗଞ୍ଜାମକୁ ମଧ୍ୟ ପଛରେ ପକାଇ ଦେଇଛି। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଆଉ ନିୟନ୍ତ୍ରଣରେ ନାହିଁ। କେବଳ ଖୋର୍ଧା ନୁହେଁ, କଟକ ଜିଲ୍ଲା ମଧ୍ୟ ଏଥିରେ ପଛରେ ରହିନାହିଁ। କଟକ ଜିଲ୍ଲାରେ ସଂକ୍ରମଣ ୧୦ ହଜାର ନିକଟରେ ପହଞ୍ଚିଛି। ଖୋର୍ଧା, ଗଞ୍ଜାମ ଓ କଟକ ଜିଲ୍ଲାରୁ ହିଁ ରାଜ୍ୟର ୪୦ ପ୍ରତିଶତ ସଂକ୍ରମଣ ରେକର୍ଡ କରାଯାଇଛି।

ଅପରପକ୍ଷରେ ଗଞ୍ଜାମରେ ସଂକ୍ରମଣ କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨ଶହ ନିକଟତର ହୋଇଛି। ଯାହାକି ରାଜ୍ୟର ସମୁଦାୟ ମୃତ୍ୟୁ ସଂଖ୍ୟାର ୩୭ ପ୍ରତିଶତ। ତେବେ କ’ଣ ପାଇଁ ଗଞ୍ଜାମରେ କରୋନା ମୃତ୍ୟୁ ବଢ଼ୁଛି ସେ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ନିର୍ଦ୍ଦିଷ୍ଟ ଭାବେ କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ଗୋଟିଏ ଦିନରେ ରାଜ୍ୟରେ ପୁଣିଥରେ ୩୬୩୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାକୁ ବାଦ୍ ଦେଲେ କଟକ ୩୭୦, ମୟୂରଭଞ୍ଜ ୩୬୫, ବରଗଡ଼ ୨୩୮, ଭଦ୍ରକ ୧୮୬, ପୁରୀ ୧୫୭, ଯାଜପୁର ୧୨୭, ବାଲେଶ୍ବର ୧୧୪, ରାୟଗଡ଼ା ୧୧୧, ଗଞ୍ଜାମ ୧୦୭, ସୁନ୍ଦରଗଡ଼ ୯୫, କୋରାପୁଟ ୯୩, କେନ୍ଦ୍ରାପଡ଼ା ୮୫, କେନ୍ଦୁଝର ଓ ଝାରସୁଗୁଡ଼ାରେ ୮୦ ଲେଖାଏଁ, ଜଗତସିଂହପୁର ୭୯, ସମ୍ବଲପୁର ୬୮, ଢେଙ୍କାନାଳ ୫୬, ମାଲକାନଗିରି ୫୫, ସୋନପୁର ୫୦, ନୂଆପଡ଼ା ୪୯, ନବରଙ୍ଗପୁର ୪୬, ଅନୁଗୁଳ ୪୧, ବଲାଙ୍ଗୀର ୩୯, ବୌଦ୍ଧ ୨୭, ଦେବଗଡ଼ ୧୧ ଓ ଗଜପତିରେ ୯ଜଣ ଚିହ୍ନଟ ହୋଇଛନ୍ତି। ୨୨୧୪ଜଣ ସଙ୍ଗରୋଧରୁ ଓ ୧୪୧୭ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୩ହଜାର ୪୧୧ରେ ପହଞ୍ଚିଛି।

ରାଜ୍ୟରେ ଆଜି ଆଉ ୮ଜଣଙ୍କ କରୋନା ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ଗଞ୍ଜାମରୁ ୩ଜଣ, କଟକରୁ ୨, କନ୍ଧମାଳ, ଭୁବନେଶ୍ବର ଓ ବାଲେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି। ଗଞ୍ଜାମରେ ଆଜିସୁଦ୍ଧା ସର୍ବାଧିକ ୧୯୭ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୭୦, ସୁନ୍ଦରଗଡ଼ ୩୬, କଟକ ୩୪, ରାୟଗଡ଼ା ୨୬, ଗଜପତି ୧୮, ପୁରୀ ୧୬, ସମ୍ବଲପୁର ୧୫, ନୟାଗଡ଼ ଓ ବାଲେଶ୍ବରରେ ୧୩ ଲେଖାଏଁ, କନ୍ଧମାଳ ୧୨ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନାରେ ୫୨୨ଜଣଙ୍କ ମୃତ୍ୟୁ ହୋଇସାରିଛି।

ଆଜି ରାଜ୍ୟ‌ରେ ୩୨୭୮ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୫୧୧ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଗଞ୍ଜାମ ୩୬୮, କଟକ ୨୩୦, ଯାଜପୁର ୧୯୫, ରାୟଗଡ଼ା ୧୮୭, ବରଗଡ଼ ୧୮୫, ବାଲେଶ୍ବର ୧୨୪, ପୁରୀ ୧୨୨, ନୟାଗଡ଼ ୧୨୧, ମାଲକାନଗିରି ଓ ମୟୂରଭଞ୍ଜରେ ୧୧୭ଜଣ ଲେଖାଏଁ, କୋରାପୁଟ ୧୦୭, ସୁନ୍ଦରଗଡ଼ ୧୦୪, ଭଦ୍ରକ ୯୮, ଝାରସୁଗୁଡ଼ା ୮୯, କନ୍ଧମାଳ ୮୮, ଜଗତସିଂହପୁର ୭୭, କେନ୍ଦୁଝର ୬୯, ସମ୍ବଲପୁର ୬୭, ଢେଙ୍କାନାଳ ୬୬, ନବରଙ୍ଗପୁର ୪୭, ଗଜପତି ୪୩, କେନ୍ଦ୍ରାପଡ଼ା ୩୫, ନୂଆପଡ଼ା ୨୫, ବଲାଙ୍ଗୀର ଓ କଳାହାଣ୍ଡିରୁ ୨୪ ଲେଖାଏଁ, ସୋନପୁର ୨୩, ବୌଦ୍ଧ ୮, ଦେବଗଡ଼ ୫ ଓ ଅନୁଗୁଳରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏବେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୭୩୫୧ରେ ପହଞ୍ଚିଛି। ଏବେ ୨୫,୪୮୫ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୬.୫ ପ୍ରତିଶତରେ ପହଞ୍ଚିଛି। ଫଳରେ ଓଡ଼ିଶାରେ ସକ୍ରିୟ ରୋଗୀଙ୍କ ତୁଳନାରେ ସାଢ଼େ ୩ ଗୁଣାରୁ ଅଧିକ ରୋଗୀ ସୁସ୍ଥ ହୋଇସାରିଛନ୍ତି।