ରାଜୁଆ ନଦୀର ବନ୍ୟା ଜଳେ ଜଳବନ୍ଦୀ ଗାଁ । ଖୋର୍ଦ୍ଧା ଜିଲ୍ଲାର ୩ଟି ପଞ୍ଚାୟତର ଶତାଧିକ ଲୋକ ଜଳଘେରରେ

118

କନକ ବ୍ୟୁରୋ : ରାଜୁଆ ନଦୀର ବନ୍ୟା ଜଳେ ଜଳବନ୍ଦୀ ଗାଁ । ଖୋର୍ଦ୍ଧା ଜିଲ୍ଲାର ୩ଟି ପଞ୍ଚାୟତର ଓରବରସିଂ, ନରଣଗଡ ଓ ବ୍ରଜମୋହନପୁରର ପ୍ରାୟ ୧୫ରୁ ଅଧିକ ଗାଁ ଏବେ ବନ୍ୟା ପ୍ଲାବିତ । ଆଜିକୁ ୫-୬ ଦିନ ହେବ ଲୋକେ ପାଣି ଘେରରେ ରହିଛନ୍ତି । ଗାଁ ଦାଣ୍ଡରେ ପାଣି ବହୁଛି । କିଛି ଲୋକଙ୍କ ଘରେ ପାଣି ପଶି ଯାଇଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି । ପ୍ରଶାସନ ପକ୍ଷରୁ କେତେକ ଗାଁରେ ରନ୍ଧାଖାଦ୍ୟ ଓ କେତେକ ଗାଁରେ ଶୁଖିଲା ଖାଦ୍ୟ ବଂଚନ କରାଯାଇଛି ।

ହୀରାକୁଦର ଫାଟକ ଖୋଲିଲେ ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼ ଓ ବେଗୁନିଆ ବ୍ଲକର ଅନେକ ଗାଁରେ ମହାନଦୀର ପଛୁଆ ପାଣିରେ ବଢ଼ି ସୃଷ୍ଟି ହୁଏ । ଚଳିତ ବର୍ଷ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ବନ୍ଧର ଫାଟକ ଖୋଲିଛି ଏବଂ ଖୋର୍ଦ୍ଧାା ବ୍ଲକର ୩ଟି ପଂଚାୟତର ୧୦ରୁ ଉର୍ଦ୍ଧ୍ୱ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରଶାସନ ନିକଟରେ ଡଙ୍ଗା ମୁତୟନ ବ୍ୟତୀତ ବନ୍ୟା ସ୍ଥିତି ନେଇ କୌଣସି ସୂଚନା କିମ୍ବା ତଥ୍ୟ ନାହିଁ  ।

ତେବେ ଡିହଖଳା, ହିରିମୂଳ ଓ ଓରବରସିଂହ ଗାଁ ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ରାତିରେ ନରଣଗଡ଼ ଓ ଓରବରସିଂହ ପଂଚାୟତର ୮ଟି ଗାଁରେ ବନ୍ୟାଜଳ ପଶିଥିଲା । ବର୍ତ୍ତମାନ ଓରବରସିଂହ ପଂଚାୟତର ହିରିମୂଳ, ଡିହଖଳା, ଓରବରସିଂହ, ମଶାଣିଆ, କୃଷ୍ଣପୁର, ରାୟପୁର, ତେନ୍ତୁଳିମୁହଁ, ଲେଖନପୁର, ନରଣଗଡ଼ ପଂଚାୟତର ମାନପୁର, ଓରମୀ, ଧବଳପୁର, ବଳପୁର, ବ୍ରଜମୋହନପୁର ପଂଚାୟତର ବ୍ରଜମୋହନପୁର ଗାଁରେ ପାଣିପଶିଥିବା ଜଣାଯାଇଛି । ଅନେକ ସ୍ଥାନରେ ବନ୍ୟାଜଳ ୩-୪ଫୁଟ ପ୍ରବାହିତ ହେଉଥିବା ବେଳେ ଗାଁ ନିକଟସ୍ଥ ଶତାଧିକ ଏକର ଚାଷଜମି ବନ୍ୟାଜଳ ଦ୍ୱାରା ନଷ୍ଟ ହୋଇଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିବର୍ଷ ଖୋର୍ଦ୍ଧା ବ୍ଲକର ଏହି ସମସ୍ତ ପଂଚାୟତରେ ବନ୍ୟା ଏକ ସ୍ୱାଭାବିକ ଘଟଣା । ପ୍ରତିବର୍ଷ ମୌସୁମୀ ଆରମ୍ଭରୁ ଏହି ଅଂଚଳରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବୈଠକ ମଧ୍ୟ ହୁଏ । ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୁଏ । କିନ୍ତୁ ବାସ୍ତବରେ, ସବୁ ବର୍ଷ ବନ୍ୟା ଜଳ ଗାଁ ମଧ୍ୟରେ ପ୍ରବେଶ କରିବାରୁ ୩-୪ ଦିନ ପରେ ଯାଇ ପ୍ରଶାସନ ଗାଁ ଲୋକଙ୍କ ନିକଟରେ ପହଂଚନ୍ତି ।