କନକ ବ୍ୟୁରୋ: ଖୋର୍ଦ୍ଧା ବନଖଣ୍ତ ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗତ ୪ ମାସ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଷ ପ୍ରୟୋଗରୁ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ସୂଚନାନୁସାରେ, ଖୋର୍ଦ୍ଧା ବନଖଣ୍ତରେ ଏପ୍ରିଲ୍ ୨୦୦୫ରେ କୁମାରବସ୍ତ ଦଲକ ଠାରେ ହାତୀ ପଲ ଠାବ କରାଯାଇଥିଲା। ଏହା ପରେ ଟାଙ୍ଗି ରେଞ୍ଜ୍ର ରାମେଶ୍ବର, ନଳସିଂହ, ପଟିଆ ଓ ବାଲୁଗାଁ ରେଞ୍ଜ୍ର କରଡ଼ାପଲ୍ଲୀରେ ହାତୀ ବୁଲିବା ଦେଖିବାକୁ ମିଳିଥିଲା। ଏହି ସମୟରେ ୪୨ଟି ହାତୀ ରହିଥିବା ଗଣନା କରାଯାଇଥିଲା। ଏପ୍ରିଲ୍ ୨୦୦୫ରୁ ୨୦୦୬ ଡିସେମ୍ବର ମାସ ଯାଏଁ ହାତୀ ଖୋର୍ଦ୍ଧା ଡିଭିଜନ୍ରୁ ଚନ୍ଦକା ଡିଭିଜନ୍ ଯିବା ଆସିବା କରୁଥିଲେ। କିନ୍ତୁ ଡିସେମ୍ବର ୨୦୦୬ରେ ୪୨ଟି ହାତୀରୁ ୨୨ଟି ହାତୀ ବ୍ରହ୍ମପୁର ଡିଭିଜନ୍କୁ ଚାଲିଯାଇଥିବା ବେଳେ ଖୋର୍ଦ୍ଧା ବନଖଣ୍ତରେ ୨୦ଟି ହାତୀ ସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୮ ଯାଏଁ ହାତୀ ୧୬ ନମ୍ବର ଜାତୀୟ ରାଜପଥ ଡେଇଁ ଆଗକୁ ଯାଉନଥିଲେ। ଏହାପରେ ହାତୀ ଜାତୀୟ ରାଜପଥ ଡେଇଁ ପୁରୀର ଅଣଜଙ୍ଗଲ ଇଲାକାକୁ ଯିବା ଆରମ୍ଭ କରିଥିଲେ। ହାତୀମାନଙ୍କ ଏଭଳି ଅସ୍ବାଭାବିକ ଗତିବିଧି ସମ୍ପର୍କରେ ପୂର୍ବରୁ ଯେଉଁଭଳି ସତର୍କ ଦୃଷ୍ଟି ରଖାଯାଉଥିଲା ଗତ ୨ ବର୍ଷ ଧରି ଖୋର୍ଦ୍ଧା ବନଖଣ୍ତ ପକ୍ଷରୁ ସେଭଳି କୌଣସି ଦୃଷ୍ଟି ଦିଆଯାଉନାହିଁ। ପୂର୍ବେ ବନଖଣ୍ତରେ ହାତୀ ଘଉଡ଼ାଇବା ଆଦିରେ ବନବିଭାଗର ତ୍ବରିତ ପଦକ୍ଷେପ ଦ୍ବାରା ଲୋକଙ୍କ ଧନଜୀବନକୁ ରକ୍ଷା କରାଯାଇପାରୁଥିବା ବେଳେ ବର୍ତ୍ତମାନର ଡିଏଫ୍ଓ ସୁଦୀପ ନାୟକ ଏଭଳି କୌଣସି ପଦକ୍ଷେପ ନେଉନଥିବା ଅନେକ ସମୟରେ ଜନସାଧାରଣ ଅଭିଯୋଗ କରିଛନ୍ତି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଗତ ୪ ମାସ ମଧ୍ୟରେ ୩ଟି ଦନ୍ତାହାତୀ ଓ ଗୋଟିଏ ମାଈହାତୀର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଭୁଷଣ୍ତପୁର ଠାରେ ଏକ ମାଈହାତୀ ଦୁଇ ଦିନ ଧରି ଅସୁସ୍ଥ ହୋଇ ପଡ଼ିବା ପରେ ମୃତ୍ୟୁ ଘଟିଥିବା ବେଳେ ୨୮ ତାରିଖରେ ଟାଙ୍ଗୀ ରେଞ୍ଜ୍ର ଉଦୁଗିରି ଜଙ୍ଗଲରେ ଏକ ହାତୀଛୁଆର ଗଳିତ ଶବକୁ ଉଦ୍ଧାର କରାଯାଇଥିଲା। ଦୁଇମାସ ପୂର୍ବେ ରାମେଶ୍ବର ନିକଟରେ ଅନ୍ୟଏକ ହାତୀର ମୃତ୍ୟୁ ଘଟିଥିବା ବେଳେ ଏହାର ବ୍ୟବଚ୍ଛେଦ ରିପୋର୍ଟ ଏଯାଏଁ ବନ ବିଭାଗକୁ ଆସିନଥିବା ଡିଏଫ୍ଓ ଶ୍ରୀ ନାୟକ କହିଥିବା ବେଳେ ୩ ମାସ ବିତିଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆଣି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ବନ ବିଭାଗର ନିରବତା ମଧ୍ୟ ଘଟଣାକୁ ଅଧିକ ରହସ୍ୟମୟ କରିଛି।
୪ ମାସରେ ୪ଟି ହାତୀଙ୍କ ମୃତ୍ୟୁ ନୁହେଁ ୨୦୧୯–୨୦୨୦ରେ ହାତୀ ଓ ମଣିଷ ସଂଘର୍ଷରେ ୧୨ଜଣ ସାଧାରଣ ନାଗରିକଙ୍କ ଜୀବନ ମଧ୍ୟ ଯାଇଛି। ଗୋଟିଏ ପଟେ ହାତୀଙ୍କ ସୁରକ୍ଷା ଆରପକ୍ଷେ ହାତୀ ଦ୍ବାରା କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାରେ ଖୋର୍ଦ୍ଧା ବନଖଣ୍ତ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛି। ବର୍ତ୍ତମାନ ଖୋର୍ଦ୍ଧା ବନଖଣ୍ତରେ ଥିବା ୨୦ଟି ହାତୀରୁ ଇତିମଧ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବଳକା ହାତୀଙ୍କ ଜୀବନ ମଧ୍ୟ ବନବିଭାଗର ଏତାଦୃଶ ମନୋଭାବରେ ସଙ୍କଟାପନ୍ନ ରହିଥିବା ଆଶଙ୍କା କରାଯାଉଛି।