କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ହଟସ୍ପଟ ପାଲଟିଛି । ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଳା ପ୍ରଶାସନକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଚଳିତବର୍ଷ ଅକ୍ଟୋବର ୧୦ତାରିଖ ସୁଦ୍ଧା ଜିଲ୍ଲାରେ ୨୪୦୧ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।

Advertisment

ଗତବର୍ଷ ୩୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଗତବର୍ଷ ସଂଖ୍ୟାକୁ ମଧ୍ୟ ଟପି ଯାଇପାରେ। ତେବେ ଜିଲ୍ଲାରେ ସରକାରୀଭାବେ କାହାର ମୃତ୍ୟୁ ହୋଇନାହିଁ । ଏଭଳି ପରିସ୍ଥିତିରେ ସବୁ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକ ସତର୍କ ରହିବା ଲାଗି କୁହାଯାଇଛି । ଡେଙ୍ଗୁରେ ‘ଶୂନ୍ୟ ମୃତ୍ୟୁ’କୁ ଆପଣାଇବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଜାରି ହୋଇଥିବା ଏସ୍‌ଓପିକୁ ଅନୁକରଣ କରିବା ଲାଗି କୁହାଯାଇଛି ।

ଅପରପକ୍ଷରେ ଚଳିତବର୍ଷର ଡେଙ୍ଗୁ ସ୍ଥିତି ଗତବର୍ଷ ଅପେକ୍ଷା ଅଧିକ ସଂଗୀନ ସ୍ଥିତିରେ ରହିଛି । କାରଣ କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ବ‌ାଲେଶ୍ବର, କଟକ ଓ ନୟାଗଡ଼ ଭଳି ଜିଲ୍ଲାରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ‌କେବଳ ଦେବଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରେ ବର୍ତମାନ ସୁଦ୍ଧା ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।