ଦୂତୀ ଚାନ୍ଦଙ୍କ ଅଭିଯୋଗ ମାମଲା : କୋର୍ଟ ଲଗାଇଲେ କଟକଣା

ମାନହାନୀ କଲାଭଳି ଖବର ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ; ସେପଟେ ଡିସିପି କହିଲେ, କମ୍ପ୍ୟୁଟର ଓ ମୋବାଇଲ ଜବତ କରି ଚାଲିଛି ଯାଂଚ

184

କନକ ବ୍ୟୁରୋ : ଦୂତୀଙ୍କ ମାନହାନୀ କଲା ଭଳି କିମ୍ବା ଚରିତ୍ର ସଂହାର କଲା ଭଳି ଖବର ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିଭିଲ୍ ଜର୍ଜ ସିନିୟର ଡିଭିଜନ୍ କୋର୍ଟ । ବ୍ୟକ୍ତିଗତ ହାଜର ହେବା ସହ କାରଣ ଦର୍ଶାଇବାକୁ ନିର୍ଦେଶ ଦିଆଯାଇଛି । ୱେବ ପୋର୍ଟାଲ ମାଲିକ, ସଂପାଦକ ସୁଧାଂଶୁ ରାଉତ, ପ୍ରଦୀପ ପ୍ରଧାନଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲେ ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ।

ସେ ଅଭିଯୋଗ କରିଥିଲେ, ତାଙ୍କ ବିରୋଧରେ ମିଛ ଖବର ପ୍ରକାଶ କରାଯାଇ ଚରିତ୍ର ସଂହାର କରାଯାଉଛି । ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଇଥିବା ଏପରି ଖବରକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ସେ ନିବେଦନ କରିଛନ୍ତି । ଏହା ସହ ସୋସିଆଲ ମିଡିଆ ଓ ଅନ୍ୟ ପ୍ଲାଟଫର୍ମକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ଦୂତୀ । ଏହି ମାମଲାକୁ ଗ୍ରହଣ କରିଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ମାନହାନୀ କଲା ଭଳି କିମ୍ବା ଚରିତ୍ର ସଂହାର କଲା ଭଳି ଖବର ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବ୍ୟକ୍ତିଗତ ହାଜର ପାଇଁ କହିଛନ୍ତି କୋର୍ଟ ।

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ମହିଳା ଥାନା ପୁଲିସର ଏକ ଟିମ୍‌ ଲକ୍ଷ୍ମୀସାଗର ସ୍ଥିତ ସୁଧାଂଶୁଙ୍କ ଅଫିସରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା । ସେହିପରି ଅନ୍ୟ ଯେଉଁମାନେ ଦୂତିଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ତଥା ଅପମାନ କରିଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଏଥିପାଇଁ ଦୁଇଟି ଟିମ୍‌କୁ ନିୟୋଜିତ କରାଯାଇଛି । ସେମାନେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ‌ଗୋଟିଏ ଟିମ୍‌କୁ ଜିଲ୍ଲା ବାହାରକୁ ପଠାଯାଇଥିବା ସେ କହିଛନ୍ତି ।

ଦୂତି ଅଭିଯୋଗ କରିଥିଲେ, ଯେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଚାଲିଥିବା ସମୟରେ ୱେବ୍‌ଚ୍ୟାନେଲ୍‌ ସଂପାଦକ ସୁଧାଂଶୁ ରାଉତ ତାଙ୍କ ବିରୋଧରେ ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ କରିଥିଲେ । ଏଥି ସହିତ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ । ସେହିଭଳି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ଦୂତିଙ୍କ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଆକ୍ଷେପମୂଳକ ଲେଖା ପୋଷ୍ଟ କରିଥିଲେ ।

ଖାଲି ଏତିକି ନୁହେଁ; ତାଙ୍କୁ ନିୟମିତ ବ୍ଲାକ୍‌ମେଲ୍ ମଧ୍ୟ କରାଯାଇଛି ବୋଲି ଦୂତି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାଦ୍ବାରା ତାଙ୍କ ସମ୍ମାନହାନି ହେଉଛି ଏବଂ ଖେଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତାଙ୍କ ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ବି ବଦନାମ କରାଯାଉଛି ବୋଲି କହି ଦୂତି କାନ୍ଦି ପକାଇବା ସହ ଏମିତି ମାନସିକ ନିର୍ଯାତନା ଜାରି ରହିଲେ ଓଡ଼ିଶା ଛାଡ଼ି ଚାଲିଯିବେ ବୋଲି କୋହଭରା କଣ୍ଠରେ କହିଥିଲେ।