ଖୋର୍ଦ୍ଧାରେ ଅପରାଜିତାଙ୍କ ଭାଷଣ ଶୁଣି ତାତିଲେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଝାଡିଲେ ଅସନ୍ତୋଷ

214

କନକ ବ୍ୟୁରୋ : ନିର୍ବାଚନ ପାଇଁ ରାଜ୍ୟ ବିଜେପି ଟିକେଟ କସରତ କରୁଥିବା ବେଳେ କାହାକୁ ମିଳିବ ଟିକେଟ, କିଏ ହେବେ ପ୍ରାର୍ଥୀ, ତାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ହାଇଡ୍ରାମା । ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟ ଓ ତାଙ୍କ ସମର୍ଥକମାନେ ପାର୍ଟି ଅଫିସ୍ ଆଗରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଶନିବାର ମଧ୍ୟାହ୍ନରେ ହଠାତ୍ ଶତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ଧସେଇ ପସିଥିଲେ କାଳୁ ଖଣ୍ଡାୟତ ରାୟ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ନାରାବାଜି କରୁଥିଲେ ସମର୍ଥକ । ପ୍ରଶାନ୍ତ ଜଗଦ୍ଦେବଙ୍କୁ କାହିଁକି ଅପରାଜିତା ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି ବୋଲି କାଳୁଙ୍କ ସମର୍ଥକ ପ୍ରଶ୍ନ କରୁଥିଲେ । ତେବେ ଘଟଣାସ୍ଥଳରେ ପ୍ରଶାନ୍ତ ଜଗଦ୍ଦେବ ପହଂଚିବା ପରେ ଚିତ୍ର ବଦଳିଥିଲା । କାଳୁ ଖଣ୍ଡାୟତ ରାୟଙ୍କ ସମର୍ଥକଙ୍କୁ ବୁଝାଇବାକୁ ଯାଇ ଜଗଦ୍ଦେବ କହିଥିଲେ, କେବଳ ଟିକେଟ ପାଇବା ଆଶାରେ ସେ ବିଜେପିରେ ଯୋଗଦେଇ ନାହାନ୍ତି । ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଖୋର୍ଦ୍ଧା, ଚିଲିକା, ବୋଲଗଡ଼ ବେଗୁନିଆ ନିର୍ବାଚନମଣ୍ଡଳୀରେ ସଂଗଠନକୁ ସୁଦୃଢ଼ କରିବା ତାଙ୍କ ଲକ୍ଷ୍ୟ । ଦଳ ଯାହା ନିଷ୍ପତି ନେବ ତାକୁ ମାନିନେବେ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଗୁରୁବାର ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମେରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପରୋକ୍ଷରେ ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ବୋଲି କହିଥିଲେ । ଯାହାକୁ ନେଇ କାଳୁ ଖଣ୍ଡାୟତ ଓ ତାଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧସେଇ ପଶି ଅପରାଜିତାଙ୍କ ବିରୋଧରେ ନାରାବାଜି କରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା ପରେ କାଳୁ ଖଣ୍ଡାୟତ ରାୟ କହିଛନ୍ତି ସେ ତୃଣମୂଳ ସ୍ତରରେ କାମ କରିଛନ୍ତି, ତେଣୁ ସେ ଦଳୀୟ ଟିକେଟ୍ ପାଇବେ । ଆଉ ଯଦି ଟିକେଟ୍ ନମିଳେ କ’ଣ ହେବ, ପରେ କହିବେ ବୋଲି ଚେତାଇ ଦେଇଛନ୍ତି ।

କାଳୁ ଖଣ୍ଡାୟତଙ୍କ ଏହି ବିରୋଧ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଜେପି କାହାକୁ ଟିକେଟ ଦେଉଛି, ତାରି ଉପରେ ନଜର ରହିବ । ୨୦୧୯ ଭଳି କାଳୁ ଖଣ୍ଡାୟତ ରାୟଙ୍କୁ ପୁଣି ରିପିଟ କରିବେ ନା ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଭରସା କରିବ ଦଳ?