କନକ ବ୍ୟୁରୋ : ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ମିଳିଛି ଫରେଷ୍ଟ କ୍ଲିୟରାନ୍ସ । ପୁରୁଣାକଟକରୁ ଦଶପାଲା ଯାଏଁ ୬୮ କିଲୋମିଟର ଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ୬୮କିମି ରେଳ ଲାଇନ କାମ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ, ଜଙ୍ଗଲ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisment

୨୦୧୯ ମସିହା ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ପଟୁ ବିଛୁପାଲି ଯାଏ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ଏହାରି ଭିତରେ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ଯାଏ ଟ୍ରାଏଲ୍‌ ରନ୍‌ ସରିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୯ କିମି ରେଳପଥ ନିର୍ମାଣ ହେବାକୁ ଥିବାବେଳେ ପ୍ରାୟତଃ ଜମି ଅଧିଗ୍ରହଣ ସରିଯାଇଛି । ବୌଦ୍ଧ ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଘରୋଇ ଜମି, ସରକାରୀ ଜମିର ଅଧିଗ୍ରହଣ ସରିଛି । ସେପଟେ ନୟାଗଡ଼ ପଟରୁ ନୂଆଗାଁ, ମହୀପୁର ଯାଏ ଟ୍ରେନ୍‌ ଗଡ଼ିଛି । ମଝିରେ କେବଳ ଜଙ୍ଗଲ ଜମି ହିଁ ପ୍ରକଳ୍ପ ପାଇଁ ବଡ଼ ସମସ୍ୟା ଥିଲା । ବିଶେଷକରି ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ଚାରିଛକରୁ ଦଶପଲ୍ଲା ଯାଏ ଜଙ୍ଗଲ ଜମି ଅନୁମୋଦନ ପାଇନଥିଲା । ଯାହାକୁ ଏବେ ଜଙ୍ଗଲ ଅନୁମତି ମିଳିସାରିଛି। ଏବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଦ୍ରୁତଗତିରେ ଆଗେଇବ ବୋଲି ଆଶା କରାଯାଉଛି ।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ । ପଶ୍ଚିମ ଓ ଉପକୂଳ ଓଡ଼ିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ । ୧୯୯୪-୯୫ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲେ ମଧ୍ୟ ଜଙ୍ଗଲ ମଞ୍ଜୁରି ସହ ଅନ୍ୟାନ୍ୟ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା । ୨୦୧୪-୧୫ ଆର୍ଥିକ ବର୍ଷରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି । ଏବେ ସୁଦ୍ଧା ୩୦୧ କିମି ମଧ୍ୟରୁ ୧୧୫ କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି । ଖୋର୍ଦ୍ଧାରୋଡ ପାର୍ଶ୍ୱରୁ ନୂଆଗାଁଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭାରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।