ମହାନଦୀରେ ବନ୍ୟା ଜଳ ଆସିବା ପରେ ଖୋର୍ଦ୍ଧା ଓ ବାଙ୍କିରେ ବନ୍ୟା ସ୍ଥିତିି : ବାଙ୍କିରେ ଗାଁ ଭିତରେ ଚାଲୁଛି ୬ ଫୁଟରେ ପାଣି; ଖୋର୍ଦ୍ଧାରେ ରାଜୁଆ ନଦୀ ବଢିବା ପରେ ଜଳବନ୍ଦୀରେ କଟୁଛି ଜୀବନ

174

କନକ ବ୍ୟୁରୋ : ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ମହାନଦୀରେ ଦେଖା ଦେଇଛି ବନ୍ୟା ସ୍ଥିତି । ବାଙ୍କୀର ୧୦ଟି ପଂଚାୟତର ପ୍ରାୟ ୩୫ଟି ଗାଁ ଏବେ ପାଣି ଘେରରେ । ସେପଟେ ଚନ୍ଦ୍ରପା ବ୍ରିଜ ଉପରେ ଚାଲୁଛି ୫ ଫୁଟର ବନ୍ୟା ପାଣି । ବନ୍ୟା ପାଣି ରାସ୍ତା ଉପରେ ଚାଲିବା ଫଳରେ ବାଙ୍କିରୁ କଳାପଥର ଯୋଗାଯୋଗ ବିଛିନ୍ନ ହୋଇଛି । ବାଲିପଡା ପଂଚାୟତର ଅନେକ ଗାଁରେ ୬ ଫୁଟ ଉପରେ ଚାଲୁଛି ବନ୍ୟା ପାଣି । ବିପନ୍ନ ମାନେ ସେମାନଙ୍କ ଆସବାବପତ୍ର ଧରି ଉଚ୍ଚ ସ୍ଥାନକୁ ପଳାଉଛନ୍ତି । ପ୍ରଶାସନ ଲୋକଙ୍କ ନିକଟରେ ପହଁଚି ନଥିବାରୁ ଅସନ୍ତୋଷ ଦେଖା ଦେଇଛି ।

ଖୋର୍ଦ୍ଧାରେ ରାଜୁଆ ନଦୀରେ ବନ୍ୟା ଫଳରେ ହରିମୂଳ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଭିନ୍ନ ହୋଇଛି । ହରିମୂଳ ଡିହଖଳା ରାସ୍ତା ଉପରେ ଚାଲୁଛି ୫ ଫୁଟ ଉପରେ ପାଣି । ଗାଁ କୁ ଯିବାକୁ ଏବେ କେବଳ ଡଙ୍ଗା ଭରସା । ଗାଁ ଭିତରେ ଚାଲୁଛି ଅଂଟେ ପାଣି । ଏପରି ସ୍ଥିତିରେ ସମସ୍ତଙ୍କ ଘରେ ପଶିଛି ପାଣି । ଗାଁ ଲୋକେ ଏବେ ଭୟଭୀତ ହୋଇ ଜୀବନ ଜିଉଁଛନ୍ତି ।

ଲୋକେ ଏବେ ପାଣିକୁ ଦେଖି ଗୃହପାଳିତ ପଶୁଙ୍କୁ ନେଇ ଅଧିକ ଚିନ୍ତିତ ହୋଇଛନ୍ତି । ଏପରି ସ୍ଥିତିରେ ନିଜେ ଜିଲ୍ଲାପାଳ ମୋଟର ବୋଟରେ ଆସି ବନ୍ୟା ସ୍ଥିତି ବୁଲି ଦେଖିଛନ୍ତି । ବନ୍ୟା ବିପନ୍ନ ଏବେ ସହାୟତା ପାଇଁ ନିବେଦନ କରିଛନ୍ତି ।