ଖୋର୍ଦ୍ଧା ଖୋଲିଦେଲା ସରକାରଙ୍କ ଟ୍ରାଫିକ୍ ସତ ! ଦୁର୍ଘଟଣା ଏଡ଼ାଇବାକୁ ନିୟମ କଡ଼ାକଡ଼ି କରୁଛନ୍ତି କିନ୍ତୁ ଟ୍ରାଫିକ୍ ପୋଷ୍ଟ ଭୂତ ଜଗୁଛି ।

686

କନକ ବ୍ୟୁରୋ: ପ୍ରାଣ ଘାତକ ସାଜିଛି ଜାତୀୟ ରାଜପଥ । ଦିନକୁ ଦିନ ଖୋର୍ଦ୍ଧାରେ ବୃଦ୍ଧି ପାଉଛି ଦୁର୍ଘଟଣା । ଆଉ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି ଖୋର୍ଦ୍ଧା ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଅବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା । ଖୋର୍ଦ୍ଧାକୁ ଜିଲ୍ଲା ମାନ୍ୟତା ମିଳିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସପିଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ ଅଫିସ ରହିଛି । ସହର ଜନଗହଳି ପୂର୍ଣ୍ଣ ରହୁଥିବା ବେଳେ ବ୍ୟବସାୟିକ କେନ୍ଦ୍ରସ୍ଥଳି ପାଲଟିଛି ଖୋର୍ଦ୍ଧା ସହର ।

କୋଲକାତା-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲାରେ ୧୭୬ କିଲୋମିଟର ରହିଛି । ସେହିଭଳି ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ରାଜ୍ୟ ରାଜପଥ ୭୬ କିଲୋମିଟର ଖୋର୍ଦ୍ଧା ଜିଲ୍ଲାରେ ଲମ୍ବିଛି । ଆଉ ଏହି ଦୁଇଟି ରାଜପଥରେ ପ୍ରତିଦିନ ଶହଶହ ଗାଡି ଚଳାଚଳ କରୁଛି । ହେଲେ ଖାଲଢିପ ରାସ୍ତା ସାଙ୍ଗକୁ ହୁଗୁଳା ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

୧୬ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ୱରରୁ ଖୋର୍ଦ୍ଧା ସହରକୁ ଯିବାକୁ ହେଲେ ପିତାପଲ୍ଲିଛକ, ଜଟଣୀଛକ, ବାରୁଣେଇ ଛକ, ଗଡଖୋର୍ଦ୍ଧା ଛକ, ଜିଲ୍ଲାପାଳ ଅଫିସ ଛକ ଓ ପଲ୍ଲାଛକ ଦେଇ ଯିବାକୁ ପଡେ । ହେଲେ ବିପର୍ଯ୍ୟସ୍ଥ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ଏହି ରଜପଥରେ ଯିଏ ଯୁଆଡେ, ଯେମିତି ପାରୁଛି ସେମିତି ଗାଡି ଚଳାଉଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଖୋର୍ଦ୍ଧା ସଦର ବ୍ଲକର ପ୍ରମୁଖ ସ୍ଥାନ କୁହାଯାଉଥିବା ଖୋର୍ଦ୍ଧାଗଡର ରାଜପଥ ଉଭୟ ପାଶ୍ୱର୍ରେ ରହିଛି ଜିଲ୍ଲାପାଳ ଅଫିସ ଏବଂ ଏସ୍ପି ଅଫିସ । କେବଳ ଏତିକି ନୁହେଁ, ଜାତୀୟ ରାଜପଥ କଡରେ ରହିଛି ଜାନକୀ ବଲ୍ଲଭ ପାର୍କ । ଯେଉଁଠି ପ୍ରତିଦିନ ଛୋଟଛୋଟ ପିଲା ଏବଂ ବରିଷ୍ଠ ନାଗରକିଙ୍କ ଭିଡ ଲାଗେ । ହେଲେ ସଂଜ ନଉଁ ନଉଁ ଖୋର୍ଦ୍ଧା ସହରର ଛାତି ଉପରୁ ହଟିଯାଉଛି ଟ୍ରାଫିକ୍, ସହରରେ ଛାଇ ଯାଉଛି ଘନ ଅନ୍ଧାର । ଯାହା ଦୁର୍ଘଟଣାକୁ ନିମନ୍ତ୍ରଣ କରେ ବୋଲି କୁହନ୍ତି ସ୍ଥାନୀୟ ଲୋକେ ।

ଖୋର୍ଦ୍ଧା ସହରରେ ବିଭିନ୍ନ ସମୟରେ ଦୁର୍ଘଟଣା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହୋଇଛି ।
ମିଳିଥିବା ତଥ୍ୟ ଅନୁସାରେ,
୧. ୨୦୧୦ ମସିହାରେ ଖୋର୍ଦ୍ଧାରେ ୨୮୭ଟି ଦୁର୍ଘଟଣାରେ ୧୦୭ ଜଣଙ୍କ ଜୀବନ ଯାଇଛି ।
୨. ୨୦୧୧ରେ ଦୁର୍ଘଟଣାରେ ୧୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୦୧୨ରେ ୧୦୧ ଜଣଙ୍କ ମୃତ୍ୟୁ ହୋଇଛି ।
୩. ସେହିଭଳି ୨୦୧୩ରେ ୧୦୭, ୨୦୧୪ରେ ୧୩୨, ୨୦୧୫ରେ ୧୧୮, ୨୦୧୬ରେ ୯୦ ଓ ୨୦୧୭ରେ ୧୨୦ଟି ଜୀବନ ନେଇଛି ରାଜପଥରେ ହୋଇଥିବା ଦୁର୍ଘଟଣା ।