ଖଲ୍ଲିକୋଟରେ ମୁଣ୍ଡ ଗଡିବା ପରେ ପୁଲିସ ପ୍ରଶାସନର ତତ୍ପରତା । ଏପଟେ ପ୍ରେସମିଟ୍ କରି ଅଭିଯୋଗକୁ ଖଣ୍ଡନ କଲେ ସ୍ଥାନୀୟ ବିଜେଡି ନେତା ।

242

କନକବ୍ୟୁରୋ : ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ଆଶାନ୍ତ ହୋଇ ଉଠିଛି ଗଂଜାମ । ହିଂସାକାଣ୍ଡରେ ବିଜେପି ନେତା ଓ କର୍ମୀ ସାମିଲ ଥିବା ଅଭିଯୋଗକୁ ଦୋହରାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ବାପା । ସେପଟେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ବିଜେଡି ନେତା । ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନେ ବିଜେଡି କର୍ମୀ ହୋଇ ନଥିବା କହିଛନ୍ତି ଖଲ୍ଲିକୋଟ ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରା ।

ପ୍ରେସ ମିଟ୍ କରି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ମେ ୨୦ ତାରିଖରେ ଆସ୍କା ଲୋକସଭା କ୍ଷେତ୍ରରେ ପଡ଼ିବ ଭୋଟ । ଏଥିପାଇଁ ଆଜି ସରିଛି ପ୍ରଚାର । ଏହି ସମୟରେ ହିଂସାକାଣ୍ଡ ରୋକିବାକୁ ସଜାଗ ରହିଛି ପୋଲିସ । ବିଭିନ୍ନ ସମ୍ବେଦନଶୀଳ ବୁଥ ଅଂଚଳରେ ଫ୍ଲାଗମାର୍ଚ୍ଚ କରାଯାଉଛି । ପ୍ରତି ଗାଁ ଉପରେ ନଜର ରଖିଛନ୍ତି ପୋଲିସର ସ୍ୱତନ୍ତ୍ର ମୋବାଇଲ ଟିମ୍ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ୬ ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ।

ଖଲ୍ଲିକୋଟ ହତ୍ୟାକାଣ୍ଡ ପରେ ଥାନା ପରିସର ପାଲଟି ଯାଇଥିଲା ରଣକ୍ଷେତ୍ର । ପୋଲିସ ଓ ଜନତାଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଏପଟେ ମାମଲାର ତଦନ୍ତ ଆରମ୍ଭ କରିଛିି ଏସଆଇଟି ଟିମ୍ । ବର୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ଆଇନଶୃଙ୍ଖଳା ସ୍ଥିତିର ତଦାରଖ ପାଇଁ ଏଡିଜି ଆରକେ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି ।