କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେଉଛି । ରାଜନୈତିକ ଦଳର ନେତାଙ୍କ ବୟାନବାଜି ଏହି ମାହୋଲକୁ ଆହୁରି ଗରମ କରୁଛି । ଆଉ ଏସବୁ ଭିତରେ ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସୋମବାର ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି । କେଶବ କହିଛନ୍ତି, ନିର୍ବାଚନ ପରେ ଅଖିଳେଶ ବିଦେଶ ଚାଲିଯିବେ । ଏହାସହ କେଶବ କହିଛନ୍ତି, ସମାଜବାଦୀ ଅତରର ସୁଗନ୍ଧ ଯେବେଠାରୁ ବାହାରକୁ ଆସିବା ଆରମ୍ଭ ହୋଇଛି, ଅଖିଳେଶଙ୍କ ମୁହଁ ଚୁପ୍ ହୋଇ ଯାଇଛି ।

Advertisment

ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଖିଳେଶ ଏବେ କାଠଗଡାରେ । ଚଳିତଥର ଅଖିଳେଶଙ୍କ ଦଳ ୪୭ରୁ ଅଧିକ ଆସନ ମଧ୍ୟ ପାର କରିପାରିବନି । ବିଜେପି ଜିତିବା ପରେ ଅଖିଳେଶ ବିଦେଶ ଚାଲିଯିବେ । କରସେବକଙ୍କ ଉପରେ ଗୁଳି ଚଳାଇଥିବା ଓ କାଉଡିଆଙ୍କୁ ଲାଠି ମାଡ ମାରୁଥିବା ବ୍ୟକ୍ତିଙ୍କୁ ଏବେ ହଠାତ୍ ପ୍ରଭୁ ଶ୍ରୀରାମଙ୍କ କଥା ମନେପଡୁଛି । ଏବେ ଅଖିଳେଶ ପର୍ଶୁରାମଙ୍କ ପ୍ରତିମା ଧରି ପୂଜାର୍ଚ୍ଚନା କରୁଛନ୍ତି । କିନ୍ତୁ ଯେଉଁମାନେ ରାମଙ୍କର ହୋଇପାରିଲେନି, ସେମାନେ ପର୍ଶୁରାମଙ୍କର କଣ ବା ହେବେ? ୨୦୧୪ ପୂର୍ବରୁ ଅଖିଳେଶ କେବେ ରାମ ଜନ୍ମଭୂମି, ବାବା ବିଶ୍ୱନାଥ ମନ୍ଦିର ଓ କୃଷ୍ଣ ଜନ୍ମଭୂମି ଯାଇଥିଲେ କି? କିନ୍ତୁ ଯେତେବେଳେ ୨୦୧୪ରେ ଜନତା ସମାଜବାଦୀ ପାର୍ଟିକୁ ଜୋରଦାର ଝଟକା ଦେଇଥିଲେ ସେତେବେଳେ ଅଖିଳେଶ ଯାଦବଙ୍କୁ ମନ୍ଦିର ଓ ଭଗବାନଙ୍କ କଥା ମନେ ପଡିଥିଲା । ତେଣୁ ଲୋକମାନେ ଏଭଳି ହିନ୍ଦୁଙ୍କ ପ୍ରତି ସାବଧାନ୍ ରହିବା ଉଚିତ୍ ବୋଲି କହିଛନ୍ତି କେଶବ ।

୨୦୧୨ରୁ ୨୦୧୭ ଯାଏଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୧୭ରେ ହୋଇଥିବା ନିର୍ବାଚନରେ ମାତ୍ର ୪୭ଟି ସିଟରେ ସୀମିତ ରହିଥିଲେ । ଅନ୍ୟପଟେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା । ଦଳ ଏକାକୀ ୩୧୨ ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଦଳ ୧୩ଟି ଆସନରେ ବିଜୟୀ ଲାଗ କରିଥିଲେ । ଯାହାର ପ୍ରଭାବ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ପଡିଥିଲା ।